ବିଜେପୁର :- ବରଗଡ଼ ଜ଼ିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସୋମବାର ଜ଼ିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପଜ଼ିଲ୍ଲାପାଳ ସ୍ନେହା ଅରୁଗୁଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ କୁବେର ମହନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ଡବ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସରୋଜ ବିଶ୍ୱାଳ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ।ଏହି ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ବିଭିନ୍ନ ସମସ୍ୟା ସମ୍ପର୍କିତ ସମୁଦାୟ ୫୪ଟି ଅଭିଯୋଗ ଦାଖଲ ହୋଇଥିଲା। ଏଥିମଧ୍ୟରୁ ୧୨ଟି ବ୍ୟକ୍ତିଗତ ଓ ୪୨ଟି ସାମୁହିକ ଅଭିଯୋଗ ଥିଲା। ଏହାସହ ୧ଟି ରେଡ୍ କ୍ରସ୍ ସମ୍ପର୍କିତ ଅଭିଯୋଗ ମଧ୍ୟ ଥିଲା।ଜ଼ିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଅଭିଯୋଗଗୁଡ଼ିକର ଶୁଣାଣି କରି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠିଥିଲା।ପ୍ରଥମେ, ବିଜେପୁର ଆହାର କେନ୍ଦ୍ରରେ ଦିଆଯାଉଥିବା ଭାତ ଓ ଡାଲମା ଅତ୍ୟନ୍ତ ନିମ୍ନମାନର ବୋଲି ଲୋକମାନେ ଅଭିଯୋଗ କରିଥିଲେ। ଏନେଇ ଜ଼ିଲ୍ଲାପାଳ କହିଥିଲେ ଯେ, ଆଜି ପ୍ରଥମ ଥର ପାଇଁ ନୂଆ SHG ମହିଳାମାନେ ରନ୍ଧଣା କରିଥିବାରୁ ଏହି ସମସ୍ୟା ହୋଇଥାଇପାରେ। ସେମାନଙ୍କୁ ଶୀଘ୍ର ଟ୍ରେନିଂ ପ୍ରଦାନ କରାଯିବ ଓ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ ନିଶ୍ଚିତ କରିଥିଲେ।ଦ୍ୱିତୀୟତଃ, ଲାଉମୁଣ୍ଡା ଗ୍ରାମର ସନ୍ତୋଷ ସାହୁଙ୍କ ଘର ଟ୍ରକ ଧକ୍କାରେ କ୍ଷତିଗ୍ରସ୍ତ ହୋଇଥିବା ଘଟଣା ଉପରେ ଜ଼ିଲ୍ଲାପାଳ କହିଥିଲେ ଯେ, ସଂପୃକ୍ତ ଟ୍ରକ ବିଜେପୁର ଥାନାରେ ଅଟକ ରହିଛି।ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ତଦନ୍ତ ପରେ କ୍ଷତିପୂରଣ ପ୍ରଦାନ କରାଯିବ।ତୃତୀୟତଃ, ଯୋଖିପାଳି ନଦୀରେ ବାଲି ଚୋରା ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ଜ଼ିଲ୍ଲାପାଳ କହିଥିଲେ ଯେ, ଯଦି ଏ ସମ୍ପର୍କରେ ପ୍ରମାଣିକ ତଥ୍ୟ ମିଳେ, ତେବେ ନିଶ୍ଚିତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.