ବ୍ଲକ ସ୍ତରୀୟ ଇକୋ କ୍ଲବ୍ ବିଜ୍ଞାନ ମେଳା ଉଦଯାପିତ

2

କେନ୍ଦୁଝର,ତା୨୨/୧- କେନ୍ଦୁଝର ସଦର ବ୍ଲକ ଆନୁକୂଲ୍ୟରେ ପରିବେଶ ଅଧ୍ୟୟନ କେନ୍ଦ୍ର,ଓଡ଼ିଶା ତରଫରୁ ପ୍ରଯୋଜିତ ବ୍ଲକ ସ୍ତରୀୟ ଇକୋ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଉଦଯାପନୀ ସଭାରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗ ଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ଜଣାଇଥିଲେ। ସଭାରେ ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାରର ଉପାୟମାନ ଜଣାଇବା ସହ ସୁସ୍ଥ ଜୀବନଯାପନ ପାଇଁ ପରିବେଶ ସୁରକ୍ଷାର ମହତ୍ତ୍ଵ ସମ୍ପର୍କରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ ଓ ରୁଦ୍ରନାରାୟଣ ସାମଲଙ୍କ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର ,ତରଣୀ ସେନ୍ ମୁଣ୍ଡା , କପିଳ ଚନ୍ଦ୍ର ଦାସ ଯୋଗ ଦେଇ ପ୍ରାକୃତିକ ସମ୍ବଳର ସୁବିନିଯୋଗ ସମ୍ବନ୍ଧରେ ଶିକ୍ଷାର୍ଥୀଙ୍କୁ ସଚେତନ କରାଇଥିଲେ। ବିଦ୍ୟାଳୟର ଇକୋ କ୍ଳବ୍ ଶିକ୍ଷକ ବିଜୟ କୁମାର ମିଶ୍ର ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ଏହି କାର୍ଯ୍ୟକ୍ରମର ବ୍ଲକ ସଂଯୋଜକ ମନୋଜ କୁମାର ମହାନ୍ତ ସମସ୍ତଙ୍କ ସହଯୋଗ ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ମହାନ୍ତ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଧୋବାଡିହା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ଲକ୍ଷ୍ମୀପ୍ରିୟା ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ସଦର ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରକଳ୍ପ ପ୍ରଦର୍ଶନ ପ୍ରତିଯୋଗିତାରେ ଏଲ୍. ଏନ୍. ସରକାରୀ ଉଚ୍ଚ ବିଦ୍ୟାଳୟ ମହାଦେଇଯୋଡ଼ାର ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଆଲିଶା ଦାସ ପ୍ରଥମ , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ କୋମଲ ମହାନ୍ତି ଦ୍ଵିତୀୟ , ଏମ୍.ଏମ୍.ଏସ୍.ବି. କେନ୍ଦୁଝରର ନବମ ଶ୍ରେଣୀ ଛାତ୍ରୀ ରୋଜାଲିନ ନାଏକ ତୃତୀୟ ଏବଂ ଡି.ଏନ୍. ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ସାଇସିଦ୍ଧି ସାହା ଚତୁର୍ଥ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ଇକୋ କ୍ଳବ୍ ବିଜ୍ଞାନମେଳା ପାଇଁ ମନୋନୀତ ହୋଇଥିଲେ।

Leave A Reply

Your email address will not be published.