ଭୁବନେଶ୍ୱର, ୨୦/୦୧/୨୦୨୬: ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳରେ ଘଟିଥିବା ନିର୍ମମ ଜନସମୂହ ହତ୍ୟାକୁ ବିଜୁ ଜନତା ଦଳ କଡା ନିନ୍ଦା କରୁଛି । ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ଏକ ଯୁବକ ଶେଖ ମକନ୍ଦାର ମହମ୍ମଦଙ୍କୁ ନିର୍ମମ ଭାବେ ଜନସମୂହ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୋଲିସ ପ୍ର୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେଡି ଦାବି କରିଛି ।
ଏହି ନିର୍ମମ ଜନସମୂହ ହତ୍ୟା, ନ୍ୟାୟ, ସମାନତା, ସାମ୍ପ୍ରଦାୟିକ ଏକତା ଏବଂ ରାଜ୍ୟର ଆଇନ ବ୍ୟବସ୍ଥାର ମୂଲ୍ୟବୋଧକୁ ଗମ୍ଭୀର ଭାବେ କୁଠାରଘାତ କରୁଛି । ଏହା ଶାନ୍ତି ପ୍ରିୟ ନାଗରିକଙ୍କ ମଧ୍ୟରେ ଗଭୀର ଦୁଃଖ ଆଣିଦେଇଛି । ସାଧାରଣ ଲୋକ ତଥା ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପ୍ରକାର ଘଟଣା ସାମାଜିକ ନ୍ୟାୟକୁ ହ୍ରାସ କରିବା ସହ ଭୟ ଓ ଅସୁରକ୍ଷିତର ବାତାବରଣ ସୃଷ୍ଟି କରିଛି ।
ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେଡି ଦାବି କରିଛି । ଏହି ଘଟଣାରେ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ସଠିକ୍, ନିରପେକ୍ଷ ସମୟସୀମାବଦ୍ଧ ତଦନ୍ତ ଆବଶ୍ୟକ ରହିଛି । ଯାହା ଦ୍ୱାରା ଦ୍ରୁତ ଏବଂ ନିଶ୍ଚିତ ନ୍ୟାୟ ମିଳିପାରିବ । ସାମ୍ପ୍ରଦାୟିକ ଶାନ୍ତିକୁ ବଜାୟ ରଖିବା ଏବଂ ଭବିଷ୍ୟତରେ ଏହିପ୍ରକାର ଘଟଣାକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି ।
ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏ ସଂପର୍କରେ ଦାବିପତ୍ର ମଧ୍ୟ ବାଲେଶ୍ୱର, ପୂର୍ବାଞ୍ଚଳ ଡିଆଇଜିଙ୍କୁ ପ୍ରଦାନ କରିଥିଲେ ।
ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ସୁଲତା ଦେଓ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ କୁମାର ପାତ୍ର, ରୀତାଞ୍ଜଳି ପ୍ରଧାନ, ରିଜୱାନା ବେଗମ, ସୁକାନ୍ତ ନାୟକ, ସୁଧାଂଶୁ ଶେଖର ପରିଡା, ସ୍ୱରୂପ ଦାସ, ଗୁଲମୁଖି ହାବିବ୍, କୈଳାଶ ସେଠୀ, ଶୁଭେନ୍ଦୁ ମଙ୍ଗରାଜ, ତାପସ ପାଣିଗ୍ରାହୀ, ଧୀରେନ ନାୟକ, ଗିରିଶ ଦାସ, ରଞ୍ଜନ ବାଗ୍ ଏବଂ ମନୋଜ୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.