ଓଡ଼ଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ମାନେ ବିକଶିତ ଗାଁ ବିକଶିତ ଓଡ଼ିଶା ନୂତନ ନିର୍ଦ୍ଦେଶାବଳୀର କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଏହାର କାର୍ଯ୍ୟ କାରିତା ସମ୍ବନ୍ଧରେ ଆବଶ୍ୟକ ସୂଚନା ପାଇଥିଲେ।ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ୨୦୨୫/୨୬ ଆର୍ଥିକ ବର୍ଷରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା,ଯୋଜନା ମାଧ୍ୟମରେ ଗ୍ରାମସଭା ଦ୍ବାରା ଚୟନ କରାଯାଇଥିବା ପ୍ରକଳ୍ପ ଗୁଡ଼ିକୁ ଜିଲ୍ଲା ସ୍ତରୀୟ କମିଟିକୁ ପଠାଯିବ। କମିଟି ଦ୍ବାରା ପ୍ରକଳ୍ପର ଗୁଡ଼ିକର ଯାଞ୍ଚ ପରେ କମିଟି ଯେଉଁ ପ୍ରକଳ୍ପ ଗୁଡ଼ିକୁ ମନୋନୀତ କରିବେ ସେସବୁ ମଞ୍ଜୁର ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଯିବ। ଜିଲ୍ଲାପାଳ ଯେଉଁ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର ପ୍ରଦାନ କରିବେ ସେହି ପ୍ରକଳ୍ପ ଗୁଡ଼ିକର ତାଲିକା ପଞ୍ଚାୟତ ସମିତିକୁ ପଠାଇ ଦିଆଯିବ। ଏବଂ ପଞ୍ଚାୟତ ସମିତି ଉକ୍ତ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବେ। ପୂର୍ବରୁ ଗ୍ରାମସଭାରେ ଚୟନ ପ୍ରକଳ୍ପ ଗୁଡ଼ିକୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦିତ ପରେ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଇ ଦିଆଯାଇଥିଲା। ପ୍ରକଳ୍ପ ଗୁଡ଼ିକ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ପରେ ବ୍ଳକ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରୁଥିଲେ। ବ୍ଳକର କ୍ଷମତା ସଙ୍କୁଚିତ କରାଯାଇ ଜିଲ୍ଲା ପରିଷଦ ମଧ୍ୟ ନୁହେଁ, ନୂତନ ଭାବେ ଗଠିତ ଜିଲ୍ଲା ସ୍ତରୀୟ କମିଟିକୁ କ୍ଷମତା ଦିଆଗଲା।