ବିଜେପୁର : ସ୍ଵାଧୀନତା ସଂଗ୍ରାମୀ ‘ବହ୍ନିକନ୍ୟା’ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଏସ୍.ଏଚ୍.ଜି. ଭବନ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ଜିଲ୍ଲା ପ୍ରଶାସନ ଓ ବିଜେପୁର ପକ୍ଷରୁ ଯୁଗ୍ମ ଭାବେ ଆୟୋଜିତ କରାଯାଇଥିଲା।
ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସନତ କୁମାର ଗଡ଼ତୀୟା ଦୀପ ପ୍ରଜ୍ବଳନ କରି ଶିବିରର ଉଦଘାଟନ କରିଥିଲେ। ଏହି ଅବସରରେ ସେ ରକ୍ତଦାତାମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ରକ୍ତଦାନ ହେଉଛି ସର୍ବୋତ୍ତମ ମାନବ ସେବା। ଗୋଟିଏ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ରକ୍ତ ଅନେକ ଅମୂଲ୍ୟ ଜୀବନକୁ ରକ୍ଷା କରିପାରେ ବୋଲି ସେ ମତ ପ୍ରକାଶ କରିଥିଲେ।ବିଧାୟକ ଶ୍ରୀ ଗଡ଼ତୀୟା କହିଥିଲେ ଯେ, ‘ବହ୍ନିକନ୍ୟା’ ପାର୍ବତୀ ଗିରିଙ୍କ ସମ୍ପୂର୍ଣ୍ଣ ଜୀବନ ତ୍ୟାଗ, ସେବା ଓ ଦେଶପ୍ରେମର ଏକ ଅଦ୍ଭୁତ ଦୃଷ୍ଟାନ୍ତ। ସେ କେବଳ ଜଣେ ସ୍ଵାଧୀନତା ସଂଗ୍ରାମୀ ନୁହନ୍ତି, ବରଂ ଜୀବନ ସାରା ଦଳିତ, ଗରିବ ଓ ପଛୁଆ ବର୍ଗଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ଗଢ଼ିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।ଏପରି ରକ୍ତଦାନ ଶିବିର ଯୁବପିଢ଼ୀଙ୍କ ମଧ୍ୟରେ ସେବା, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧକୁ ଜାଗ୍ରତ କରେ ବୋଲି ସେ କହିଥିଲେ।
ଏହି ରକ୍ତଦାନ ଶିବିରରେ ବିଜେପୁର ବ୍ଲକ ଅଞ୍ଚଳ ସହିତ ପାଖପାଖି ବିଭିନ୍ନ ପଞ୍ଚାୟତରୁ ଯୁବକ, ସାମାଜିକ କର୍ମୀ ଓ ସାଧାରଣ ଜନତା ଉତ୍ସାହର ସହ ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଚିକିତ୍ସାଗତ ବ୍ୟବସ୍ଥା କରାଯାଇଥିଲା।
ରକ୍ତ ସଂଗ୍ରହ କାର୍ଯ୍ୟରେ ବରଗଡ଼ ଜିଲ୍ଲା ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଶିବିର ମାଧ୍ୟମରେ ମୋଟ ୨୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଜଣାପଡ଼ିଛି।କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟାନ୍ୟ ଅତିଥି ଓ ବକ୍ତାମାନେ ମଧ୍ୟ ପାର୍ବତୀ ଗିରିଙ୍କ ଜୀବନୀ ଓ ସଂଗ୍ରାମ ଉପରେ ଆଲୋକପାତ କରି ତାଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post