ବିଜେପୁରରେ ମାଁ ତାରିଣୀ ଓ ହନୁମାନ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଘଟଗାଁରୁ ଆଜ୍ଞାମାଳ ଆସିଲା, ଭକ୍ତିମୟ ଶୋଭାଯାତ୍ରାରେ ଉତ୍ସାହିତ ନଗରବାସୀ

2

ବିଜେପୁର: ବିଜେପୁର ସହର ଆନନ୍ଦ ନଗର ଅଞ୍ଚଳରେ ନବନିର୍ମିତ ମାଁ ତାରିଣୀ ମନ୍ଦିର ଓ ମାଁ ତାରିଣୀ ବିଗ୍ରହ ସହିତ ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଅବସରରେ ଗତ ୧୬ ଜାନୁଆରୀ ୨୦୨୬ ତାରିଖ ଶୁକ୍ରବାର ଠାରୁ ଧାର୍ମିକ ଆନୁଷ୍ଠାନ ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା। ସକାଳ ୬.୩୦ ମିନିଟ ସମୟରେ ଘଟଗାଁ ତାରିଣୀ ପୀଠରୁ ଆଜ୍ଞାମାଳ ଆଣିବା ପାଇଁ ବିଶେଷ ଧାର୍ମିକ ଯାତ୍ରା ପ୍ରସ୍ଥାନ କରିଥିଲା।
ଏହି ପବିତ୍ର କାର୍ଯ୍ୟକ୍ରମ ଏଠାକାର ରାଜପୁରୋହିତ ତଥା ପ୍ରସିଦ୍ଧ ଚଣ୍ଡୀପାଠକ ଶ୍ରୀମାନ କିଶୋର ଚନ୍ଦ୍ର ପୂଜାରୀଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ତାଙ୍କ ନେତୃତ୍ୱରେ ସାତ ଯୋଡ଼ି କର୍ତ୍ତା ଦମ୍ପତି ଧାର୍ମିକ ନିୟମାନୁସାରେ ଘଟଗାଁ ତାରିଣୀ ମନ୍ଦିରକୁ ଯାତ୍ରା କରିଥିଲେ। ଘଟଗାଁରେ ପହଞ୍ଚିବା ପରେ ମାଁ ତାରିଣୀ ପୀଠର ମୁଖ୍ୟ ପୂଜକଙ୍କ ଦ୍ୱାରା ବିଧିବଦ୍ଧ ପୂଜା, ଅର୍ଚ୍ଚନା ଓ ଆଚାର-ଅନୁଷ୍ଠାନ ସମାପନ ହୋଇଥିଲା। ଏହା ପରେ ମାଁ ତାରିଣୀ ପୀଠ ର ମୁଖ୍ୟ ପୂଜକ ରାଜପୁରୋହିତ ଶ୍ରୀଯୁକ୍ତ ପୂଜାରୀଙ୍କୁ ମାଁ ତାରିଣୀଙ୍କ ପବିତ୍ର ଘଟ, ଆଜ୍ଞାମାଳ ଓ ପରିଧାନ ବସ୍ତ୍ର ପ୍ରଦାନ କରିଥିଲେ। ୧୭ ଜାନୁଆରୀ ୨୦୨୬ ଶନିବାର ସକାଳେ ଘଟଗାଁରୁ ଆଜ୍ଞାମାଳ ସହ ଯାତ୍ରା ଆରମ୍ଭ ହୋଇ ଦୀର୍ଘ ପଥ ଅତିକ୍ରମ କରି ଅପରାହ୍ନ ପ୍ରାୟ ୪ଟା ସମୟରେ ବିଜେପୁର ଉପରପଡ଼ା ସ୍ଥିତ ଅନନ୍ତ ପୂଜା ମଣ୍ଡପରେ ପହଞ୍ଚିଥିଲା। ସେଠାରେ ମାଁ ତାରିଣୀ ମନ୍ଦିର କମିଟି ଓ ସ୍ଥାନୀୟ ଭକ୍ତମାନଙ୍କ ପକ୍ଷରୁ ଆଜ୍ଞାମାଳ ଓ କର୍ତ୍ତା ଦମ୍ପତିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂଜା-ଅର୍ଚ୍ଚନା ସହ ମାଁଙ୍କ ଆଶୀର୍ବାଦ କାମନା କରାଯାଇଥିଲା।
ପରେ ଘଣ୍ଟ, ଶଙ୍ଖ, ଦୁଲଦୁଲି, କୀର୍ତ୍ତନ୍ୟ ଓ ହୁଳହୁଳିର ମହାନାଦ ମଧ୍ୟରେ ଏକ ବିରାଟ ଓ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାଟି ବିଜେପୁର ନଗରର ବିଭିନ୍ନ ସାହି ଓ ରାସ୍ତା ଦେଇ ପରିକ୍ରମା କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ଭକ୍ତିମୟ ପରିବେଶରେ ମୁଗ୍ଧ କରିଥିଲା। ରାସ୍ତା ଦୁଇ ପାର୍ଶ୍ୱରେ ହଜାର ହଜାର ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ଶୋଭାଯାତ୍ରା ସମାପନ ପରେ ଆଜ୍ଞାମାଳ ସହ ଘଟକୁ ମାଁ ତାରିଣୀ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇ ନିୟମାନୁସାରେ ଘଟ ସ୍ଥାପନ କରାଯାଇଥିଲା। ଏହା ସହିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ଧାର୍ମିକ ପର୍ବ ଆରମ୍ଭ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବରେ ସମ୍ପନ୍ନ ହୋଇ ବିଜେପୁର ଅଞ୍ଚଳରେ ଧାର୍ମିକ ଚେତନାକୁ ନୂଆ ଦିଗରେ ପହଞ୍ଚାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.