ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗତ କାଲି ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ୍ ଦଶ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତ ଛଅମାସ ତଳେ ସ୍ଥାନୀୟ ଏକ ପେଟ୍ରୋଲ୍ ଟାଙ୍କିରେ ବେଲଗୁଣ୍ଠାର ଜଣେ ଦଳିତ ପିଲାକୁ ହରିଜନ ଉଢୁରାର କିଛି ପିଲା ଆକ୍ରମଣ କରିଥିଲେ I ଏହି ଗଣ୍ଡଗୋଳ ପରେ ବେଲଗୁଣ୍ଠା ଥାନାରେ ମୌଖିକ ଭାବେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ ଭିତରେ ଭିତରେ ଶତ୍ରୁତାର ନିଆଁ ଜଳୁଥିଲା I ଗତ ମକର ଯାତ୍ରାରେ ପୁଣି ଥରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା I ଏନେଇ ଥାନାରେ ଅଭିଯୋଗ କରିବା ପାଇଁ ଗୁରୁବାର ଦିନ ସନ୍ଧ୍ୟା ସମୟରେ ହରିଜନ ଉଢୁରାର କିଛି ଲୋକ ବେଲଗୁଣ୍ଠା ଥାନାକୁ ଆସିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା I ଏଥିରେ ଆହତ ହୋଇଥିବା ଦୁଇଜଣଙ୍କୁ ବେଲଗୁଣ୍ଠା ଇନ୍ସପେକ୍ଟର୍ ଅଭୟ ପ୍ରଧାନ ଏବଂ ପୋଲିସ୍ ବାହିନୀ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ I ପରିସ୍ଥିତି ଅଣାୟତ ହେବାରୁ ଅଭୟଙ୍କ ଠାରୁ ଖବର ପାଇ ଭଞ୍ଜନଗର ଏସଡିପିଓ ଡ.ଦୀପକ୍ କୁମାର ମିଶ୍ର ପୋଲିସ୍ ବାହିନୀ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ବଢୁଥିବା ଲକ୍ଷ୍ୟ କରି ବୁଗୁଡା ଥାନା ଅଧିକାରୀ ସୁଧାଂଶୁ ଶେଖର ମାନ୍ଧାତl, ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ଭଂଜନଗର ପୋଲିସ୍ ସହ ଦୁଇ ପ୍ଲାଟୁନ ପୋଲିସ ବେଲଗୁଣ୍ଠାରେ ପହଞ୍ଚିଥିଲେ I ପରେ ଏହା ପୋଲିସ୍ ର ନିୟନ୍ତ୍ରଣାଧୀନ ହୋଇଥିଲା I ଦୁଇ ଘଣ୍ଟା ଧରି ବେଲଗୁଣ୍ଠା ରେ ଲୋକ ଭୟଭୀତ ଅବସ୍ଥାରେ ଥିଲେ I ଆଜି ସକାଳୁ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ବେଲଗୁଣ୍ଠା ଦଳିତ ସାହି ଛକରେ ପଇଁତରା ମାରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବେଲଗୁଣ୍ଠା ରେ ପୋଲିସ୍ ମୁତୟନ ରହିଛନ୍ତି I ଏନେଇ ବେଲଗୁଣ୍ଠା ଦଳିତ ସାହିର ସୋନୁ ନାଇକ ୨୫,ଦେଇଥିବା ଏତାଲା ପ୍ରକାରେ କେଶ୍ ନମ୍ବର୍ ୨୧/୨୬ ଏକା ମାମଲା ରୁଜୁ କରାଯାଇ ଏହାକୁ ଭିତ୍ତି କରି ହରିଜନ ଉଢୁରାର ଅକ୍ଷୟ ନାଇକ (26), ପ୍ରଣୟ ନାଇକ (26),ମୁନା ନାଇକ (33),ଲିପୂନ ନାଇକ (34) କୁ ଗିରଫ କରାଯାଇଛି I ସେହିପରି ହରିଜନ ଉଢୁରାର ଅକ୍ଷୟ ନାଇକ ଦେଇଥିବା ଏତାଲା ପ୍ରକାରେ କେଶ୍ ନମ୍ବର୍ ୨୨/୨୬ ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଦଳିତ ସାହିର ସୋନୁ ନାଇକ (27),ବାଦଲ ନାଇକ (26),ପ୍ରକାଶ ନାଇକ, ୩୫,ସଂଗ୍ରାମ ନାଇକ (30),ସୁଶାନ୍ତ ସାହୁ (28),ଶିଶିର ନାଇକ (30) କୂ ଗିରଫ କରି ଆଜି ଭଞ୍ଜନଗର କୋର୍ଟଚାଲାଣ କରାଯାଇଥିବା ଆଇ ଆଇ ସି ରେବତୀ ଶବର ପ୍ରକାଶ କରିଛନ୍ତି l ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହଜାରକୁ ପଠାଇ ଦିଆଯାଇଛି I ଏସ୍ଆଇ ବିଶ୍ୱରଂଜନ ନାୟକ ଘଟଣାର ତଦନ୍ତ କରୁଛନ୍ତି I ପରିସ୍ଥିତି ଉପରେ ପୋଲିସ୍ କଡ଼ା ନଜର ରଖିଥିବା ବେଳେ କୌଣସି ପରିସ୍ଥିତିରେ କାହାରିକୁ ମଧ୍ୟ ଆଇନ ହାତକୁ ନେବାକୁ ଚେଷ୍ଟା କଲେ ଦୃଢ଼ କାଯ୍ୟନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଡକ୍ଟର୍ ଦୀପକ ମିଶ୍ର ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post