ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା; ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ,ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ I ସିଆରସିସି ଶ୍ରୀ ପଣ୍ଡା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ମଣିଷ ଦକ୍ଷ ହେବା ପାଇଁ ଶିକ୍ଷା ନିହାତି ଅବଶ୍ୟକ ବୋଲି କହିଥିଲେ I ଏହା ସହିତ ସେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଏବଂ ସୁଦକ୍ଷା ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଆଲୋଚନା କରିଥିଲେ I ସେହିପରି ଶ୍ରୀ ପ୍ରଧାନ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାରେ ଅଭିଭାବକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ I ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ରମେଶ କୁମାର ପାଣିଗ୍ରାହୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵପ୍ନା କୁମାରୀ ଖଡ଼୍ଗରାୟଙ୍କ ସଂଯୋଜନାରେ ଉଢୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି I ସିଆରସିସି ମନୋଜ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ତନରଡା କ୍ଳଷ୍ଟର୍ ସ୍ତରୀୟ ଶିକ୍ଷା ସଭା କାର୍ଯ୍ୟକ୍ରମରେ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ପ୍ରତ୍ଯେକ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷା ସଭା କାର୍ଯ୍ୟକ୍ରମରେ କ୍ଳଷ୍ଟର୍ ଅନ୍ତର୍ଗତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ସ୍ଥାନୀୟ ଜନ ପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ I