ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବନ୍ଦେ ମାତରମ୍ ଗାନ ଏବଂ ଜାତୀୟ ଯୁବ ଦିବସ ପାଳିତ

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ଗାନ କରାଯିବା ସହିତ ଜାତୀୟ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନ ଅଧ୍ୟକ୍ଷା ରୁନୁବାଳା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ସମାଜସେବୀ ସ୍ଵସ୍ତି ସୁନ୍ଦର ସିଅ ଯୋଗ ଦେଇ ରାଷ୍ଟ୍ର ଗଠନରେ ଯୁବ ଶକ୍ତିର ପ୍ରୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ପୂର୍ବତନ ରସାୟନ ବିଜ୍ଞାନ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର, ଓଡ଼ିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭବାନୀ ଶଙ୍କର ରା ପ୍ରମୁଖ ମଞ୍ଚାସୀନ ଥିଲେ I ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଅଭିଭାଷଣ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ I ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରୀ ସହଯୋଗ କରିଥିଲେ I ସେହିପରି ସ୍ଥାନୀୟ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ତଥା ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ସାମୂହିକ ବନ୍ଦେ ମାତରମ୍ ଗାନ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି I ଏଥିରେ ଛାତ୍ରଛାତ୍ରୀ ଆତ୍ମ ନିର୍ଭର ଭାରତ ସନ୍ଦର୍ଭ ବିଷୟରେ ଆଲୋଚନା କରି ସ୍ଵଦେଶୀ ସଂକଳ୍ପ ପତ୍ର ପାଠ କରିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ଯୋଗ ଦେଇ ଯୁବ ସମାଜର ଉନ୍ନତି ସାଧନରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ସମ୍ପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ଵଳ ଭବିଷ୍ୟତ ଗଠନର ମନ୍ତ୍ର ଦେଇଥିଲେ I ପ୍ରଶାସନିକ ଅଧିକାରୀ ଡା.ଇଂ ରବିନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ଯୁବ ରେଡ଼କ୍ରସ୍ ପରମର୍ଶଦାତା ଡ଼ ସଞ୍ଜିବ୍ କୁମାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.