
ଭୁବନେଶ୍ୱର, ୦୮.୦୧.୨୦୨୬ : ଚିଲିକାରେ ଆୟୋଜିତ ତିନି ଦିନିଆ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଓ ନୌକା ଦୌଡ଼ ପ୍ରତିଯୋଗିତା ସଫଳତାର ସହିତ ସମାପ୍ତ ହୋଇଛି। ଏହି ଉଦ୍ଯାପନୀ ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚିଲିକା ହ୍ରଦ ବିଶ୍ୱର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ଓ ଏହାକୁ ଆଗାମୀ ଦିନରେ ଆହୁରି ଉନ୍ନତ ଓ ଆକର୍ଷଣୀୟ କରିବା ପାଇଁ ନୌକା ଦୌଡ଼ ଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ | ଚିଲିକାର ମତ୍ସ୍ୟ ସମ୍ପଦ, ଜଳପଥ, ଯାତାୟତ ବ୍ୟବସ୍ଥା, ଫିଶ୍ ଜେଟି ଓ ପର୍ଯ୍ୟଟନ ଢାଞ୍ଚାକୁ ବିକଶିତ କରିବା ଉପଲକ୍ଷେ ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସେ ମତ ରଖି ଥିଲେ । ଏହିଭଳି କାର୍ଯ୍ୟକ୍ରମ ସଫଳ ଭାବେ ସଂଚାଳନ ହେଲେ ଚିଲିକାକୁ ପ୍ରତିଦିନ ପ୍ରାୟ ଲକ୍ଷେ ପର୍ଯ୍ୟଟକ ଆସିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଚିଲିକା ହ୍ରଦରେ ଆୟୋଜିତ ବୋଟ୍ ରେସ୍ ଓ ଷଷ୍ଠ ତମ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୈବବିବିଧତା ଓ ପର୍ଯ୍ୟଟନ ସମ୍ଭାବନାକୁ ଦେଶ ଓ ବିଶ୍ୱସ୍ତରରେ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।
ଚିଲିକା ହ୍ରଦରେ ଅନୁଷ୍ଠିତ ବୋଟ୍ ରେସ୍ରେ ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ ମଧ୍ୟରେ ଦୃଢ଼ ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା। ଏହି ପ୍ରତିଯୋଗିତାରେ ପାଣିଦ୍ଵାର ପିଏଫସିଏସ, ଚିଲିକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଦ୍ୱିତୀୟ ସ୍ଥାନ ମା ଡୋମଣୀ ଦେବୀ ପିଏଫସିଏସ –୨, ଦଳ ଅଧିକାର କରିଥିବା ବେଳେ ବିନ୍ଧ୍ୟାଗିରି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲା।
ଷଷ୍ଠ ତମ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଅବସରରେ ଆୟୋଜିତ ଫୋଟୋଗ୍ରାଫି ପ୍ରତିଯୋଗିତାରେ ୮୦ ଜଣ ଫଟୋଗ୍ରାଫର ୪୦୦ଟି ଫୋଟୋ ଦାଖଲ କରିଥିଲେ, ଯାହା ମଧ୍ୟରୁ ୩୫ଟି ଫୋଟୋ ମଙ୍ଗଳାଯୋଡ଼ି ଫୋଟୋ ପ୍ରଦର୍ଶନୀ ରେ ସ୍ଥାନ ପାଇଥିଲା। ଅIମେଚ୍ୟୁର୍ ବର୍ଗରେ ପ୍ରବୀର କୁମାର ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ମୁଖ୍ୟ ଅତିଥିଙ୍କ ସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସରୋଜ କୁମାର ସ୍ୱାଇଁ, ଚିଲିକା ବନ୍ୟ ପ୍ରାଣୀ ଡିଭିଜନର ସଂରକ୍ଷକ ଶ୍ରୀ ଅମ୍ଲାନ ନାୟକ, ଭାରତୀୟ ରାଜସ୍ୱ ଅଧିକାରୀ ଶ୍ରୀ ପି.କେ. ଦାସ, ଚିଲିକା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା , ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ ଏବଂ ଚିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଥି ସହ ଦୁଇ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.