ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ,

3

ବାଣପୁର:(ସେକ୍ କୌସର): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ରାଜ୍ୟ ସରକାର ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହାକି ଛାତ୍ରୀଛାତ୍ରଙ୍କ ପାଇଁ ଶୈକ୍ଷିକ ପରିବେଶ ଯୋଗାଇବାରେ ବେଶ ଲାଭଦାୟକ ହେବ। ୨୦୨୫-୨୬ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥରାଶି ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବାଣପୁର ମାଟିର ଗର୍ବ ଓ ଗୌରବ, ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏହି ଯୋଜନା ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବାଣପୁର ମାଟିରୁ ଶୁଭାରମ୍ଭ ହେବା ଏହି ମାଟି ପାଇଁ ଏକ ଐତିହାସିକ ଦିନ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷାମନ୍ତ୍ରୀ, ପୁରୀ ଏମ୍‌ପି ଡା. ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗଣଶିକ୍ଷା ବିଭାଗର ଶାସନ ସଚିବ ଏନ୍‌ ତିରୁମାଲା, ବିଧାୟକ ପ୍ରଦୀପ ସାହୁ, ବିଭୂତି ବଳବନ୍ତରାୟ, ଏକାମ୍ର ବିଧାୟକ ବାବୁ ସିଂ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲାପାଳ ଅମ୍ରିତ ଋତୁରାଜ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ଜିଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ଡିଇଓ ସୋନାମିକା ରାୟଙ୍କ ସମେତ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.