ବିଜେପି ରାଜ୍ୟ ନେତାମାନେ ହଜମ କରିପାରୁ ନାହାନ୍ତି ଅଭିଯୋଗ

0

 

ବିଜେପି ପ୍ରଥମେ ନିଜ ଘର ସଜାଡ଼ୁ

ଅନ୍ୟ ଉପରେ ଦୋଷ ଲଦିବା ଅଭ୍ୟାସ ଛାଡୁ: ବିଜେଡି

ଭୁବନେଶ୍ୱର : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ୍‍ଙ୍କ ବିରୋଧରେ ଡିସେମ୍ବର ୨୧ ତାରିଖ ଦିନ ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ଅଭିଯୋଗ ବିଜେଡି ସାଂସଦ କରିଛନ୍ତି, ତାହା ବିଜେପି ରାଜ୍ୟ ନେତାମାନେ ହଜମ କରିପାରୁ ନାହାନ୍ତି । ସେଥିପାଇଁ ବିଜେପି ପକ୍ଷରୁ ଯେଉଁ ଅଭିଯୋଗ କରାଯାଇଛି ତାହା ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

ଶ୍ରୀ ନାୟକ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ ଜୁଏଲ୍‍ଙ୍କ ବିରୋଧରେ ବିଜେଡି ୫ମାସ ତଳେ ଯାହା କହିଥିଲା, ଆଜି ନିର୍ବାଚନ କମିଶନଙ୍କ ନିକଟରେ ସେହି ଅଭିଯୋଗ କରାଯାଇଛି । ୨୦୧୭ ଜୁଲାଇ ୨୯ରେ ବିଜେଡି ପକ୍ଷରୁ ଦର୍ଶାଯାଇଥିଲା ଯେ ଜୁଏଲ୍‍ ଲୋକସଭାକୁ ସୁନ୍ଦରଗଡ଼ରୁ ନିର୍ବାଚିତ ହେବା ପରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଖର୍ଚ୍ଚ ହିସାବ ଜାଲିଆତି ସହ ସମାନ । ଏଥିରେ ଜୁଏଲ୍‍ ଦର୍ଶାଇଥିଲେ, ନିଜର ଗୋଟିଏ ଟଙ୍କା ସେ ଖର୍ଚ୍ଚ କରିନାହାନ୍ତି ଓ ଦଳ ତରଫରୁ ତାଙ୍କୁ ୪୦ଲକ୍ଷ ଟଙ୍କା ମିଳିଥିଲା । ପୁଣି ସେ ଏହି ଖର୍ଚ୍ଚ ତାଲିକାରେ ଦର୍ଶାଇଥିଲେ ଯେ ଚେକ୍‍ ଯୋଗେ ତାଙ୍କୁ ୭ଲକ୍ଷ ୨୫ ହଜାର ୭୫ ଟଙ୍କା ମିଳିଥିଲା ଏବଂ ସେ ମଧ୍ୟ ୧ଲକ୍ଷ ୪୦ ହଜାର ଟଙ୍କା ନିଜେ ଖର୍ଚ୍ଚ କରିଥିବା ଉଲ୍ଲେଖ କରିଛନ୍ତି, ଯାହା ସଂପୂର୍ଣ୍ଣ ମିଥ୍ୟା ସତ୍ୟପାଠ ବୋଲି ବିଜେଡି ଦର୍ଶାଇ ସେ ଅଯୋଗ୍ୟ ବିବେଚିତ ହେବା କଥା ବୋଲି କୁହାଯାଇଥିଲା ।

ଆଜି ସମାନ ଅଭିଯୋଗ ବିଜେଡି ପକ୍ଷରୁ କରାଯିବା ସହ ତାଙ୍କ ସଭ୍ୟପଦ ରଦ୍ଦ  ପାଇଁ ଦାବି ହୋଇଛି । ଏହି ଅଭିଯୋଗ ପରେ ବିଜେପି କହିଛି ଏହା ‘ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏକ ଚାଲ୍‍’, ଯାହା ସଂପୂର୍ଣ୍ଣ ଯୁକ୍ତିରହିତ ଓ ଅର୍ଥହୀନ ବୋଲି ଶ୍ରୀ ନାୟକ କହିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ବିଜେପି ନେତାମାନେ ସବୁକଥାରେ ଭାବୁଛନ୍ତି, ବିଜେଡି ସଭାପତିଙ୍କ ମୁଣ୍ଡରେ ଦୋଷ ଲଦିପାରିଲେ ନିଜ ଦଳରେ ବାହାବା ପାଇବେ । ୫ମାସ ପୂର୍ବେ ବିଜେଡି ଯାହା ପ୍ରକାଶ କରିଥିଲା, ତାହା ବୋଧେ ବିଜେପି ନେତାମାନେ ଭୁଲି ଯାଇଛନ୍ତି । ବିଜେଡି ପକ୍ଷରୁ କୁହାଯାଇଥିଲା, ୨୦୧୪ ମାର୍ଚ୍ଚ ୩୦ରେ ଚେକ୍‍ ନମ୍ବର ୪୪୧୬୧୯ରେ ୧୦ଲକ୍ଷ ଏବଂ ୨୦୧୪ ଜୁନ୍‍ ୧୫ରେ ଚେକ୍‍ ନମ୍ବର ୭୯୫୦୩୬ରେ ୬ଲକ୍ଷ ୪୮ ହଜାର ୩୨୦ ଟଙ୍କା ନବୀନଙ୍କୁ ଦିଆଯାଇଥିବା ବେଳେ ସେ ୬୪୮୩୨୦ ଟଙ୍କା ଖର୍ଚ୍ଚ ନକରି ଦଳକୁ ଫେରାଇ ଦେଇଛନ୍ତି । ସେପରିସ୍ଥଳେ ବିଜେପି ଆଜି ଯେପରି ଟାଣିଓଟାରି ମୁଖ୍ୟମନ୍ତ୍ରୀଙ୍କ କଥା କହୁଛି, ତାହା ନିଜ ଦଳର କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ଙ୍କୁ ସୁରକ୍ଷା ଦେବା ପାଇଁ ପାଲଟା ଚାଲ୍‍ ନୁହେଁ ତ? ବିଜେପି ନେତାମାନେ ଜାଣିବା ଉଚିତ୍‍, ସାରା ରାଜ୍ୟର ଆର୍ଥôକ ହିସାବ ରଖିବା ପାଇଁ ଜଣେ ଅର୍ଥମନ୍ତ୍ରୀ ଅଛନ୍ତି ଓ ବିଜେଡି ମଧ୍ୟ ଚାପରେ ବିଶ୍ୱାସ କରେ ନାହିଁ । ଆମ ଦଳର ସଭାପତିଙ୍କ ବିରୋଧରେ କହି ଯଦି ବିଜେପି ରାଜ୍ୟରେ ଚର୍ଚ୍ଚାରେ ରହିବ ବୋଲି ଭାବୁଥାଏ, ତେବେ ମିଥ୍ୟା ଅଭିଯୋଗ କଲେ ଦିନେ ନା ଦିନେ ଏହି ଦଳର ନେତାମାନେ ‘ମିଛୁଆ ରାଧୁଆ’ ପାଲଟିଯିବେ ବୋଲି ଶ୍ରୀ ନାୟକ  କହିଛନ୍ତି । 

Leave A Reply

Your email address will not be published.