କେନ୍ଦୁଝର,ତା୩୦/୧୨- କେନ୍ଦୁଝର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେଉଥିବା ବହୁ ପ୍ରତିକ୍ଷିତ ‘ଗୋନାସିକା-କେନ୍ଦୁଝର ମହୋତ୍ସବ-୨୦୨୫’ ଓ ‘ପଲ୍ଲୀଶ୍ରୀ ମେଳା’ ଆଜି ଏକ ଭବ୍ୟ ପରିବେଶରେ ଉଦ୍ଯାପିତ ହୋଇଯାଇଛି। ଏହି ମହୋତ୍ସବ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଏକ ସୁନ୍ଦର ମାଧ୍ୟମ ସାଜିଥିଲା।ଅପରାହ୍ନ ୩ଟାରୁ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସାଂସ୍କୃତିକ ସଂଘ, ଶିଷ୍ୟ ଡାନ୍ସ ଏକାଡେମୀ, ଏବଂ ସିରିସପାଳର ସାନ୍ତାଳୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହାସହ ଗଞ୍ଜାମର ରଣପା ଏବଂ ବଲାଙ୍ଗୀରର ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା। ହିମାଚଳ ପ୍ରଦେଶରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଷିତ ‘ପଡୁଆଁ ଲୋକନୃତ୍ୟ’ ଦର୍ଶକଙ୍କ ମନ କିଣି ନେଇଥିଲା। ରାତିରେ ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ରୁକୁ ସୁନାଙ୍କ ସଙ୍ଗୀତରେ ‘ଓଲିଉଡ ନାଇଟ୍’ ଦର୍ଶକଙ୍କୁ ବେଶ୍ ଝୁମାଇଥିଲା।
ମହୋତ୍ସବ ସହ ଚାଲିଥିବା ପଲ୍ଲୀଶ୍ରୀ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶହ ଶହ ଷ୍ଟଲରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ ସାମଗ୍ରୀର ଚାହିଦା ଖୁବ୍ ଅଧିକ ଥିଲା। ଲୋକମାନେ ଘରକରଣା ସାମଗ୍ରୀ କିଣିବା ସହ ବିଭିନ୍ନ ଓଡ଼ିଆ ବ୍ୟଞ୍ଜନର ମଜା ନେଉଥିବା ଦେଖିବାକୁ ମିଳିଥିଲା।
ଉଦ୍ଯାପନୀ ସନ୍ଧ୍ୟାରେ ମା’ ତାରିଣୀ ଓ ପ୍ରଭୁ ବଳଦେବଜୀଉଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଯୋଗଦେଇ କେନ୍ଦୁଝରର ଗୌରବମୟ ଇତିହାସ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ।ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ମଧ୍ୟ ନିଜର ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ‘ରଜ କୁଇନ୍-୨୦୨୫’ ବିଜେତାଙ୍କ ସମେତ ସ୍ଵେଚ୍ଛାସେବୀ ଓ ଆୟୋଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମହୋତ୍ସବକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ବିଭାଗ ଓ ସର୍ବୋପରି କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.