ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ )୨୮/୧୨:-ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଦିଲ୍ଲୀଠାରେ ଆୟୋଜିତ ୪୧ତମ ରାଷ୍ଟ୍ରୀୟ ଅଧିବେଶନରେ ରାଷ୍ଟ୍ରୀୟ ସମ୍ମାନ ପ୍ରାପ୍ତ ଓଡ଼ିଶାର ୩୦ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିବା ଅବସରରେ ଶନିବାର ସମ୍ବଲପୁର ସାମ୍ବାଦିକ ଭବନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ବର୍ଦ୍ଧନା ସଭାରେ ବଲାଙ୍ଗିର ଜିଲ୍ଲାରୁ ଶ୍ରୀଯୁକ୍ତ ଜନାବ ଖାନ, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ନାଗ ଓ ଶ୍ରୀଯୁକ୍ତ ଘନଶ୍ୟାମ ନାଗଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏମାନେ ଗତ ଡିସେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରୀୟ ସମାରୋହ “ବାବାସାହେବ ଆମ୍ବେଦକର ଫିଲୋସୋଫି ସମ୍ମାନ”ରେ ସମ୍ମାନିତ ହୋଇଥିଲେ। ଦୀର୍ଘବର୍ଷ ଧରି ସମାଜ ସେବା, ସାମାଜିକ ସଚେତନତା, ଭାତୃଭାବ ଓ ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ତାଙ୍କର ଅବିରତ ଅବଦାନକୁ ନଜରରେ ରଖି ଏହି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଉପସ୍ଥିତ ରହି ସମ୍ମାନିତ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ଉଦ୍ବୋଧନରେ ସେ କହିଥିଲେ ଯେ ଦଳିତ ସାହିତ୍ୟ ଓ ସମାଜ ସେବା ମାଧ୍ୟମରେ ସମତା, ନ୍ୟାୟ ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଆଜିର ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏପରି ପ୍ରତିଭାମାନେ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ସଭାର ଆୟୋଜନ କରିଥିଲେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଡକ୍ଟର ନିହାଲ ସିଂ। ସଭାରେ ଜାତୀୟ ସଚିବ ଦୀପକ ରଂଜନ ବାଗ, ରାଜ୍ୟ ଉପସଭାପତି ଗଦାଧର ନିଆଲ ଓ ପ୍ରିୟରଂଜନ ଯୟପୁରୀଆ, ରାଜ୍ୟ ସମ୍ପାଦକ କେଦାରନାଥ ଜଗତ, ଫଗନୁ କୁମ୍ଭାର, ସମ୍ମାନୀୟ ଅତିଥି ଡକ୍ଟର ସୁଶିଲ ବେହେରା, ଅଶ୍ୱିନୀ ମେହେର ଓ ଗୋପାଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଭା ସଂଯୋଜନାର ଦାୟିତ୍ୱ ଜଗନ୍ନାଥ କୁମ୍ଭାର ନିର୍ବାହ କରିଥିଲେ।
ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ପାଇଥିବା ପ୍ରତିଭାମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଦଳିତ ସାହିତ୍ୟ, କଳା, ସମାଜ ସେବା, ଓକିଲାତି, ସାମ୍ବାଦିକତା ଓ ସାମାଜିକ ନ୍ୟାୟ ପାଇଁ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ।
ଶେଷରେ ଜଗନ୍ନାଥ କୁମ୍ଭାର ସମସ୍ତ ଅତିଥି, ସମ୍ମାନିତ ପ୍ରତିଭା ଓ ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.