ଓଡ଼ଗାଁ,୨୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ଗୁମି ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବିଷ ଦେଇ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ତରଣୀ ସାହୁ ଓଡ଼ଗାଁ ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ବାହାଡାଝୋଲା ଫାଣ୍ଡି ଗୁମି ଗ୍ରାମର ଭେଙ୍କଟ ରମଣ ସାହୁ (୩୬)ଙ୍କୁ ସିମନବାଡି ଗ୍ରାମ, ଦାରିଙ୍ଗବାଡି ଥାନା, କନ୍ଧମାଳ ଜିଲ୍ଲାର ରତ୍ନାକର ସାହୁଙ୍କ ଝିଅ ଚାନ୍ଦିନୀ ସାହୁ (୨୪) ବିଧିମତେ ତୋଳା କନ୍ୟା ହୋଇ ୨୦୧୯ ମସିହାରେ ଗୁମି ଗ୍ରାମରେ ବିବାହ କରିଥିଲେ। ତେବେ ବିବାହର ଦୁଇବର୍ଷ ପରଠାରୁ ବିଭିନ୍ନ ସମୟରେ ଶଶୁର ଘର ଲୋକେ ଯୌତୁକ ଦାବିକରି ଭଉଣୀ ଚାନ୍ଦିନୀକୁ ସ୍ବାମୀ, ଶଶୁର ଓ ଶାଶୂ ମିଶି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ସହ ଭଉଣୀକୁ ମାରପିଟ୍ କରୁଥିଲେ । ଏପରିକି ଭଉଣୀ ଆମ୍ଭମାନଙ୍କୁ ଘଟଣା ସମ୍ପର୍କରେ କହିଲେ ଅଧିକ ମାରପିଟ୍ କରିଥାନ୍ତି । ଏପରିକି ଯୌତୁକ ନ ଆଣିଲେ ଜୀବନରେ ମାରିଦେବାକୁ ବାରମ୍ବାର ଧମକ ଦେଉଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଭଉଣୀ ଘରେ ପହଞ୍ଚି ଅନେକ ଥର ଏହାର ସମାଧାନ ମଧ୍ୟ କରାଯାଇଥିଲା । ଏବଂ ଆଉ କୌଣସି ଅସୁବିଧା ହେବନାହିଁ ବୋଲି ପରିବାର ଲୋକେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଶୁକ୍ରବାର ୨୬.୧୨.୨୦୨୫ ତାରିଖରେ ପୁନର୍ବାର ସମାନ ଘଟଣା ଘଟାଇ ଭଉଣୀ ଚାନ୍ଦିନୀକୁ ବିଷ ଦେଇ ହତ୍ୟା କରିଛନ୍ତି। ବିଷକ୍ରିୟାରେ ଭଉଣୀ ଗୁରୁତର ହୋଇ ପଡ଼ିବା ପରେ ତାକୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ଚିକିତ୍ସା କରିବା ପାଇଁ କହୁଥିବା ବେଳେ ଶଶୁର ଘରଲୋକେ ଚିକିତ୍ସା ନକରି ନୟାଗଡ଼ ନେଇ ଯିବାକୁ ଜିଦ ଧରିଥିଲେ। ତେବେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଭଉଣୀ ଚାନ୍ଦିନୀକୁ ମୃତ ଘୋଷଣା କରିଥିଲେ । ଭଉଣୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭାଇ ତରୁଣୀ ସାହୁ ଓଡ଼ଗାଁ ଥାନାକୁ ଅନୁରୋଧ କରିଥିଲେ । ଓଡ଼ଗାଁ ପୋଲିସ ଅଭିଯୋଗକୁ ଭିତ୍ତିକରି ୩୮୪/୨୫ ରେ ଏକ ମାମଲା ରୁଜୁ କରି ଚାନ୍ଦିନୀର ସ୍ବାମୀ ଭେଙ୍କଟ ରମଣ ସାହୁ(୩୬), ଶଶୁର କୃଷ୍ଣଚନ୍ଦ୍ର ସାହୁ (୫୬) ଏବଂ ଶାଶୁ ସୁରଭି ସାହୁ(୫୦) ଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
Sign in
Sign in
Recover your password.
A password will be e-mailed to you.