ମନ୍ଦିର ଚୋରି ଘଟଣା ରେ ବେଲଗୁଣ୍ଠା ପୋଲିସ କୁ ସଫଳତା

0

 ୭ ଚୋର ଗିରଫ,୯.୪୫ କେଜି ରୂପା ସହିତ ଅନ୍ୟ ଚୋରି ସାମଗ୍ରୀ ଜବତ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ଗତ କିଛି ଦିନ ହେଲା ବେଲଗୁଣ୍ଠା ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଥିବାବେଳେ ଚୋର ପ୍ରାୟତଃ ମନ୍ଦିର ଗୁଡିକୁ ଟାର୍ଗେଟ କରି ଚୋରି କରି ଅଞ୍ଚଳବାସୀ ଓ ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଥିଲେ । କିନ୍ତୁ ଗତକାଲି ଦୁଇ ମନ୍ଦିରରୂ ପୃଥକ ପୃଥକ ଭାବେ ଚୋରି କରିଥିବା ଦୁଇଟି ଚୋର ଦଳକୁ ବେଲଗୁଣ୍ଠା ପୋଲିସ ଧରିବାରେ ସଫଳ ହୋଇଛି । ଦୁଇଟି ଘଟଣାରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି କରି ତରଳା ଯାଇଥିବା ରୁପା ୧୪ ଖଣ୍ଡ ପାଖାପାଖି ସାଢେ ୯ କେଜି,ଦୁଇଟି ମୋଟର ସାଇକେଲ,୬ ଟି ସ୍ମାର୍ଟ ଫୋନ ଓ ଗୋଟିଏ ସାଧାରଣ ମୋବାଇଲ, ଗୋଟିଏ ପାଣି ମଟର ପମ୍ପ ଓ ଅଡିଓ ଡେକ୍ ଜବତ କରିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ୧୩ ତାରିଖରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁ.ନୁଆଗାଁ ଥିବା ଶନି ମନ୍ଦିର ଓ ମାଁ ବରପାହାନ୍ତି ମନ୍ଦିର କମିଟି ସଦସ୍ୟ ମାନେ ଦୁଇ ମନ୍ଦିର ରେ ୧୨ ତାରିଖ ରାତିରେ ଚୋରି ହୋଇଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ ।ଚୋର ମାନେ ମାଁ ବରପାହାନ୍ତିଙ୍କ ରୁପା ମୁକୁଟ,ରୁପା ହାର,ରୁପା ନାକର,କାନର ସହିତ ଶନି ମନ୍ଦିରର ରୁପା ଗ୍ଲାସ୍,ରୁପା ଗିନା, ଗୋଟିଏ ଡେକ୍ ଏବଂ ପାଣି ପମ୍ପ ଚୋରୀ କରି ନେଇଥିବା ଜଣାଇଥିଲେ ।ଏ ନେଇ ବେଲଗୁଣ୍ଠା ପୋଲିସ ୬୦୦/୨୫ ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ରେବତୀ ଶବରଙ୍କ ନିର୍ଦ୍ଦେଶରେ ଇନିସପେକ୍ଟର ଅଭୟ କୁମାର ପ୍ରଧାନ ତଦନ୍ତ ଚଳାଇଥିଲେ ।ଏହି ଘଟଣାରେ ପୋଲିସକୁ ସଫଳତା ମିଳିଥିବା ବେଳେ ସଂପୃକ୍ତ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମର ଆକାଶ ସ୍ୱାଇଁ (୨୪), ଗାଙ୍ଗପୁର ଥାନା ଅନ୍ତର୍ଗତ ଚାଟୁଳା ଗ୍ରାମର ଦେବାଶିଷ ଖଟେଇ(୧୯), ଶୁଭମ୍ ସ୍ୱାଇଁ (୨୦) ଓ ଚୋରି ଜିନିଷ ଗ୍ରହଣ କରିଥିବା ନେଇ ଖୁକୁଣ୍ଡିଆ ଗ୍ରାମର ଶିବରାମ ନାୟକ (୪୭) ଙ୍କୁ ଭାରତୀୟ ନ୍ୟାୟ ସଂହିତା ୩୩୧(୪ )ଓ ୩୦୫(a) ଗିରଫ କରିଥିଲା ।ସେହିପରି ଗତ ନଭେମ୍ବର ମାସ ୧୫ ତାରିଖ ଦିନ ରାତିରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମର ନୃସିଂହ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ଯାଇଥିବା ଅଭିଯୋଗ ହୋଇଥିଲା ।ବେଲଗୁଣ୍ଠା ପୋଲିସ ୫୩୫/୨୫ ରେ ଏକ ମାମଲା ରୁଜୁ କରି ଏସ୍.ଆଇ ବିଶ୍ୱ ରଞ୍ଜନ ନାୟକ ତଦନ୍ତ ଚଳାଇଥିଲେ ।ଏହି ଘଟଣାରେ ମଧ୍ୟ ପୋଲିସ ସେହି ଇନ୍ଦ୍ରଗଡ ଗ୍ରାମର ଅଜୟ ପୋଲାଙ୍ଗ(୩୧), ଜଗତସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ମଇନ୍ଦପୁର ଗ୍ରାମର କପିଳାସ ଭୋଇ (୨୨), ରଞ୍ଜନ ଭୋଇ (୨୭) କୁ ଗିରଫ କରିଥିବା ଜଣାପଡ଼ିଛି ।ଉଭୟ ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.