ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ସୋମବାର “ଜାତୀୟ ଗଣିତ ଦିବସ” ପାଳିତ ହୋଇଯାଇଛି। ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ ଅବସରରେ ପାଳିତ ଏହି ଦିବସ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ଆୟୋଜିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦୁର୍ବାଦଲ ପଧାନ ଓ ସମ୍ମାନିତ ଅତିଥି ନେତ୍ରାନନ୍ଦ ସାହୁ ଉପସ୍ଥିତ ଥିଲେ।
ଅତିଥିମାନେ ତାଙ୍କ ଉଦ୍ବୋଧନରେ ଗଣିତର ଦୈନିକ ଜୀବନରେ ଗୁରୁତ୍ୱ, ତାହାର ବ୍ୟବହାରିକ ଦିଗ ଏବଂ ଶିକ୍ଷାକ୍ଷେତ୍ରରେ ଗଣିତର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସେମାନେ କହିଥିଲେ ଯେ ଗଣିତ କେବଳ ଗଣନାର ବିଷୟ ନୁହେଁ, ବରଂ ଏହା ମନୁଷ୍ୟଙ୍କୁ ଚିନ୍ତନ, ସଠିକ୍ ନିଷ୍ପତ୍ତି ଓ ଶୃଙ୍ଖଳିତ ଜୀବନ ଗଠନରେ ସାହାଯ୍ୟ କରେ।ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ରଣା ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ ଗଣିତ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଗଣିତ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜୀବନରେ ଶୃଙ୍ଖଳା, ଶ୍ରମ ଓ ସଫଳତାର ପଥରେ ଅଗ୍ରସର ହୋଇପାରିବେ। ଏହା ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ଭଲ ମନୁଷ୍ୟ ଓ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଣିତ ସମ୍ପର୍କିତ ଆଲୋଚନା, ପ୍ରଶ୍ନୋତ୍ତର ଓ ସୃଜନାତ୍ମକ ପ୍ରଦର୍ଶନ ହୋଇଥିଲା, ଯାହା ସଭ୍ୟମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ସହଭାଗିତାରେ ଜାତୀୟ ଗଣିତ ଦିବସ ସଫଳତାର ସହିତ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.