ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୨ ଯକ୍ଷ୍ମା ରୋଗୀ ଚିହ୍ନିତ

0 2

ଉନ୍ନତ ଚିହ୍ନଟ ପାଇଁ ଟ୍ରୁନାଟ ଓ ଲ୍ୟାବ ଟେକେନସିଆନ ଆବଶ୍ୟକ

ଓଡ଼ଗାଁ,୨୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୧୮ ପଞ୍ଚାୟତର ଲକ୍ଷ୍ୟାଧିକ ଜନସାଧାରଣ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହି ଅଞ୍ଚଳର ଡିସେମ୍ବର ୨୦୨୫ ବର୍ଷ ସୁଦ୍ଧା ୨୬୦୪ ଜଣଙ୍କ କଫ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ଯକ୍ଷ୍ମା ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି।କେବଳ ମାଇକ୍ରୋସ୍କୋପ ମାଧ୍ୟମରେ କଫ ପରୀକ୍ଷା କରା ନଯାଇ ଅତ୍ୟାଧୁନିକ ଟ୍ରୁନାଟ ମେସିନ ସହାୟତାରେ କଫ ପରୀକ୍ଷା କରାଗଲେ ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇବ । କାରଣ କଫରେ ଯକ୍ଷ୍ମା ଜୀବାଣୁଙ୍କ ପରିମାଣ ଅତ୍ୟଧିକ ରହିଲେ ମାଇକ୍ରୋସ୍କୋପ ମାଧ୍ୟମରେ ନିର୍ଦ୍ଧାରଣ ହେଉଥିବା ବେଳେ ଜୀବାଣୁ ପରିମାଣ କମ୍ ଥିଲେ ତାହା ଅତ୍ୟାଧୁନିକ ଟ୍ରୁନାଟ ମେସିନ ବିନା ଜାଣିବା ସମ୍ଭବପର ନୁହେଁ । ଫଳରେ ରୋଗୀଙ୍କ ଜୀବାଣୁ ସଂଖ୍ୟା ବୃଦ୍ଧି ଘଟିବା ବେଳକୁ ରୋଗ ଅନିୟନ୍ତ୍ରିତ ଅବସ୍ଥାକୁ ଚାଲିଯାଇଥାଏ । ଫଳରେ ଭଲ ହେବା ସମ୍ଭାବନା କମିଯାଇଥାଏ । ତେଣୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡିସେମ୍ବର ୨୦୨୫ ସୁଦ୍ଧା ପରୀକ୍ଷା ହୋଇଥିବା ୨୬୦୪ ଜଣଙ୍କ କଫରୁ ୩୨ ପରିବର୍ତ୍ତେ ତା’ଠାରୁ ଅଧିକ ସଂଖ୍ୟାରେ ସଂକ୍ରମିତ ରହିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏଣୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅତ୍ୟାଧୁନିକ ଟ୍ରୁନାଟ ମେସିନ ସହିତ ଅଧିକ ସଂଖ୍ୟକ କଫ ପରୀକ୍ଷା ପାଇଁ ଜଣେ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ଲ୍ୟାବ ଟେକେନସିଆନ ଯୋଗାଇ ଦେବା ନିମନ୍ତେ ନୟାଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେଲେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚିତ ହେଉଛି।

Leave A Reply

Your email address will not be published.