ନୟାଗଡ଼ ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମନ୍ଦିର ଠାରୁ ବ୍ଳକ ପର୍ଯ୍ୟନ୍ତ ଶୋଭାଯାତ୍ରା,

2

ଓଡ଼ଗାଁରୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ସଦସ୍ୟ ମନୋନୀତ,

ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ଦାବି ନେଇ ନୟାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ଓଡ଼ଗାଁ ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କ୍ରମେ ଗୁରୁବାର ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ସଚେତନତା ଶୋଭାଯାତ୍ରା ବଜାର ପରିକ୍ରମା କରି ସ୍ଥାନୀୟ ବ୍ଲକ ରୋଡ଼ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲା । କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳ ମତ ନିର୍ବିଶେଷରେ ସ୍ଥାନୀୟ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ, ସାମ୍ବାଦିକ, ଆର୍ମି ଭେଟେରାନ, ଅଧିବକ୍ତା ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ରୁ ଆସିଥିବା ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମି ରୋଟାରିଆନ ଶ୍ରୀକାନ୍ତ ଖଟେଇ, ଯୁବ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମ୍ପାଦକ ନୟାଗଡ଼ ଭଏସ୍ ଧିରେନ୍ଦ୍ର ପଟ୍ଟନାୟକ, ରୋଟାରିଆନ ଅବିନାଶ ସାହୁ ପ୍ରମୁଖଙ୍କ ସହିତ ଓଡ଼ଗାଁ ବରିଷ୍ଠ ନାଗରିକ ସଙ୍ଘ ସଭାପତି ବସନ୍ତ କୁମାର ମିଶ୍ର, ବନମାଳୀ ଦାଶ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ତଥା ଆର୍ମି ଭେଟେରାନ ଆଦର୍ଶ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ଜିଲ୍ଲାର ସମସ୍ତ ବ୍ଲକକୁ ଗମନା ଗମନ ସୁବିଧା ଦୃଷ୍ଟିରୁ ନୟାଗଡ଼ ସଦରରେ ମେଡିକାଲ କକେଜ ସ୍ଥାପନା ପାଇଁ ବଳିଷ୍ଠ ମତ ପୋଷଣ କରିଥିଲେ ।ନୟାଗଡ଼ ସହର ନିକଟବର୍ତ୍ତୀ ନୁଆଁ ବସଷ୍ଟାଣ୍ଡ ନିକଟରେ ୧ ଶହ ଏକରରୁ ଉର୍ଦ୍ଧ ସରକାରୀ ଜମି ରହିଥିବା ବେଳେ ଏକ ସ୍କେଚ ମ୍ୟାପ, ରୋଡ଼ ମ୍ୟାପ ଓ ରାଜସ୍ୱ ମ୍ୟାପ ସହିତ ସରକାରଙ୍କ ନିକଟରେ ଦାବି ପତ୍ର ଉପସ୍ଥାପନ କରିବାକୁ ଆର୍ମି ଭେଟେରାନ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ । ଜିଲ୍ଲାର ସମସ୍ତ ବ୍ଲକରୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମନୋନୀତ ସଦସ୍ୟଙ୍କ ସହିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନେତୃବୃନ୍ଦ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ରାଜ୍ୟପାଳଙ୍କୁ ଭେଟି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀକାନ୍ତ ଖଟେଇ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ସହିତ ପୂଜକ ପରିଷଦ ସଭାପତି ପ୍ରଫୁଲ କୁମାର ମହାପାତ୍ର, ସୁଆର ପରିଷଦ ସଭାପତି କାର୍ତିକ ପଣ୍ଡା, ବରିଷ୍ଠ ଅଧିବକ୍ତା ସୁବାସ ଚନ୍ଦ୍ର ପାତ୍ର, ଆର୍ମି ଭେଟେରାନ କୁବେର ବାରିକ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ନୃସିଂହ ଚରଣ ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.