PSKର ଖାମଖିଆଲି: ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ଫାଶ!

3

 କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ​କେନ୍ଦ୍ରାପଡ଼ା,​୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା କମ୍ପାନୀ PSK ର ଅବହେଳା ପୁଣି ଥରେ ଜଣଙ୍କ ଜୀବନ ନେଇଛି। ଚଣ୍ଡିଖୋଲ-ପାରାଦ୍ୱୀପ ରାଜ୍ୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
​ଗତକାଲି ସନ୍ଧ୍ୟାରେ ବରାହୀଲୋ ଗ୍ରାମର ଅକ୍ଷୟ ମଲିକ (୫୮) ରାସ୍ତା ପାର୍ ହେଉଥିବା ସମୟରେ PSK କମ୍ପାନୀର ଏକ ନିୟୋଜିତ ଯାନ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଅକ୍ଷୟ ମଲିକଙ୍କର ମୃତ୍ୟୁ ଘଟିଥିଲା।​ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ PSK କମ୍ପାନୀର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ନିୟମ ଉଲ୍ଲଙ୍ଘନ ଯୋଗୁଁ ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଗଲାଣି। ‘ଗୋଟେ ପରେ ଗୋଟେ ଜୀବନ ନେବାରେ ଲାଗିଛି ୫୩ ନମ୍ବର ଜାତୀୟ ରାଜପଥ କାମରେ ନିୟୋଜିତ ଠିକା କମ୍ପାନୀ PSK,’ ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ନିରାପତ୍ତା ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି।
​ଦୁର୍ଘଟଣା ପରେ କ୍ରୋଧିତ ଗ୍ରାମବାସୀମାନେ ତୁରନ୍ତ ରାସ୍ତାକୁ ଅବରୋଧ କରି PSK କମ୍ପାନୀ ବିରୋଧରେ ନାରାବାଜି କରିଥିଲେ ଏବଂ ମୃତକଙ୍କ ପରିବାର ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥରେ ଶତାଧିକ ଗାଡ଼ି ଅଟକି ରହିଥିଲା ଏବଂ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଥିଲା।
​ଡେରାବିଶ୍‍ ପୋଲିସ୍‍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ଗାଡ଼ିକୁ ଅଟକ ରଖିଥିବା ସୂଚନା ମିଳିଛି। ବହୁ ସମୟ ଧରି ପୋଲିସ୍‍ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିବା ପରେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ​ନିର୍ମାଣ କାର୍ଯ୍ୟର ନିରାପତ୍ତା ଦିଗକୁ PSK କମ୍ପାନୀ କାହିଁକି ଅଣଦେଖା କରୁଛି, ସେ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଠିକା ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.