ଗରିମାମୟ “କେନ୍ଦୁଝର ସୌରଭ” ଆଲୋଚନା ସଭା ସଫଳ।

3

କେନ୍ଦୁଝର,ତା୭/୧୨- କେନ୍ଦୁଝର ଜିଲ୍ଲା ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନର “କେନ୍ଦୁଝର ସୌରଭ” ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ,ମଣ୍ଡୁଆ, କେନ୍ଦୁଝରଗଡ଼ ଠାରେ ଖୁବ ମନୋଜ୍ଞ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବେ ପ୍ରତିଷ୍ଠାନର ସଭାପତି ସାହିତ୍ୟିକ ତଥା ପ୍ରାକ୍ତନ ବିଧାୟକ ପ୍ରାଣ ବଲ୍ଲଭ ନାୟକଙ୍କ ସଭାପତିତ୍ୱରେ ସମାପନ ହୋଇ ଯାଇଛି । ଖୁବ ଆନନ୍ଦ ଓ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଓଡ଼ିଶାର ସୁନାମ ଧନ୍ୟ ସଂସ୍କୃତି ପୁରୁଷ ପ୍ରଗଳଭ ବକ୍ତା ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦୁଝରର ଐତିହ୍ୟ,ସାହିତ୍ୟ,ଇତିହାସ, ଜଳ, ସ୍ଥଳ, ମାଟି, ପବନ ଓ ପ୍ରକୃତିକୁ ନେଇ ତାତ୍ପର୍ଯ୍ୟପୂର୍ଣ୍ଣ ଦୀକ୍ଷାନ୍ତ ବକ୍ତବ୍ୟ କରି ଶ୍ରୋତା ଓ ଦର୍ଶକଙ୍କୁ ଅଭିଭୂତ କରି ଥିଲେ। ମୁଖ୍ୟବକ୍ତା ପ୍ରାକ୍ତନ ଆନନ୍ଦପୁର କଲେଜ ଅଧ୍ୟକ୍ଷ ରମାକାନ୍ତ ନାୟକ ଜିଲ୍ଲା ମଧ୍ୟରେ ଲୁକ୍କାୟତ ଥିବା ଅନେକ ତଥ୍ୟ ପ୍ରଦାନ କରିଥିଲେ।

ଅଧିବକ୍ତା ବରେଣ୍ୟ ଶରତ କୁମାର ରାଉତ, ସୁନାମଧନ୍ୟ ବୈତରଣୀ ଗବେଷକ ଡକ୍ଟର ବିମ୍ବାଧର ବେହେରା ଅନେକ ତଥ୍ୟ ସମ୍ବଳିତ ଉପାଖ୍ୟାନ ସହିତ କେନ୍ଦୁଝର ଦର୍ପଣରେ ସାହିତ୍ୟ କିପରି ଉଦ୍ଭାସିତ ତାହା ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷାବିତ ନାରାୟଣ ନାଏକ ସମଗ୍ର ସଭାଟିର ସଂଯୋଜନା ଦାୟିତ୍ୱ ସୁନ୍ଦର ଭାବେ ପରି ଚାଳନା କରିଥିଲେ। ପ୍ରତିଷ୍ଠାନର ସମ୍ପାଦକ ମନୋଜ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରି ଥିଲେ। ବରିଷ୍ଠ ସୁସାହିତ୍ୟିକା ଶ୍ରୀମତୀ ଇନ୍ଦୁମତୀ ପାତ୍ର ମୁଖ୍ୟ ଅତିଥିଙ୍କ ମାନପତ୍ର ପାଠ କରିଥିଲେ। ଶେଷରେ ବରିଷ୍ଠ ଲେଖକ ଓ ସୁନାମଧନ୍ୟ କବି ଚିନ୍ତାମଣୀ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦୁଝର ସୌରଭ କାର୍ଯ୍ୟକ୍ରମରେ ଜିଲ୍ଲା ତମାମରୁ ବହୁ କବି ଲେଖକ ଉକ୍ତ ଉତ୍ସବରେ ଯୋଗ ଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.