ସିଦ୍ଧମଠରେ ବ୍ୟଞ୍ଜନ ଦ୍ୱାଦଶୀରେ ଶହେ ପ୍ରକାର ଭୋଗ ଲାଗି ହେଲା।

0 2

 କେନ୍ଦୁଝର,ତା୩/୧୨- କେନ୍ଦୁଝରଗଡ଼ର ସର୍ବ ପ୍ରାଚୀନ ଜଗନ୍ନାଥ କ୍ଷେତ୍ର ହେଲା ସିଦ୍ଧମଠ ଏଠାରେ ପ୍ରଭୁ ସିଦ୍ଧ ଜଗନ୍ନାଥ କେବେଠାରୁ ଏକ ବିଶାଳ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି। ଏହି ମନ୍ଦିର ପରିସରରେ ଏବେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଯାଇଛି। କଥିତ ଅଛି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ କଳାକାଠ ପଡିଯାଇଥିବାର ଦେଖି ମାଆ ଯଶୋଦା ବିଚଳିତ ହୋଇ ଅନେକ ଦିବ୍ୟ ବ୍ୟଞ୍ଜନ ନିଜେ ପ୍ରସ୍ତୁତ କରି ପୁଅକୁ ପରଷି ଦେଇଥିଲେ। ତେଣୁ ସେହି ସ୍ମୃତିରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏଠାରେ କ୍ଷୀରି, ଖେଚୁଡ଼ି, ସର ପୁଳି, ରାବିଡି, ଶାଗ, ଭଜା, ବଡ଼ି, ବିଭିନ୍ନ ପ୍ରକାର ଫଳକୁ ନେଇ ଶହେ ପ୍ରକାରରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ଭୋଗ ପ୍ରସ୍ତୁତ କରାଯାଇ ପୂଜା କରାଯାଇଥିଲା। ସକାଳୁ ସେବାୟତ ମାନେ ଦିଅଁଙ୍କ ନୀତିକାନ୍ତି ସାରି ଏହି ଦିବ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ଥିଲେ ବୋଲି ସେବାୟତ ଆନନ୍ଦ ଖଣ୍ଡେଇ କୁହନ୍ତି। ବନ ଜାଗ ସମିତି ତରଫରୁ ସଚ୍ଚିଦାନନ୍ଦ ମହାପାତ୍ର କୁହନ୍ତି କି ସିଦ୍ଧମଠରେ ନବକଳେବର ପରଠାରୁ ବ୍ୟଞ୍ଜନ ଦ୍ୱାଦଶୀ ପର୍ବରେ ସାଧାରଣ ଲୋକଙ୍କୁ ବ୍ୟାପକ ଭାବେ ସାମିଲ କରାଯାଉଛି ତେଣୁ ସହସ୍ରାଧିକ ଭକ୍ତ ପ୍ରସାଦ ପାଇଥିଲେ। ଅନ୍ୟତମ ବରିଷ୍ଠ ନାଗରିକ ବିପ୍ର ଚରଣ ମିଶ୍ର କହିଥିଲେ କି ବହୁ ପୂର୍ବରୁ ଏହି ପରମ୍ପରା ଚାଲି ଆସିଛି ଆଗାମୀ ଦିନରେ ଏହି ବ୍ୟଞ୍ଜନ ଦ୍ୱାଦଶୀର ମାହତ୍ମ ପ୍ରଚାର ବେଶୀ କରାଯିବ। ସାତ୍ତ୍ଵିକ ଭୋଜନ ଯେ ଦେହ ଲାଗି ହିତ ଏହି ପରମ୍ପରା ଆଜି ବାର୍ତ୍ତା ଦେଉଛି। ଏକାଥରେ ଏତେ ପ୍ରକାର ଭୋଗ ଦେଖି ସମସ୍ତେ ଅଭିଭୂତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଭକ୍ତ ଯୋଗ ଦେଇଥିଲେ ବରିଷ୍ଠ ସେବାୟତ ସତ୍ୟଜିତ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.