୩୦ତମ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

0 2

୧୬୦ ପ୍ରକଳ୍ପ ମଧ୍ୟରୁ ୧୭ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ

ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଦେଓଗାଁ – ଭାଲିଆଡିହି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ତମ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ – ୨୦୨୬ ସୋମବାର ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସୌଜନ୍ୟ ଏବଂ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓଡ଼ଗାଁ ଆନୁକୂଲ୍ୟରେ ଆୟୋଜିତ ପ୍ରଦର୍ଶନୀ ମାଧ୍ୟମରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୭ ବିଷୟରୁ ଗୋଟିଏ, ପରିବେଶ ବିଜ୍ଞାନ ୭ ବିଷୟରୁ ଗୋଟିଏ ଏପରି ମୋଟ ୧୪ ପ୍ରକଳ୍ପ ସହିତ ପ୍ରଥମ ଠାରୁ ୫ମ ଶ୍ରେଣୀ ମଧ୍ୟରେ ୩ ପ୍ରକଳ୍ପ ଏବଂ ସର୍ବମୋଟ ୧୭ ପ୍ରକଳ୍ପ ବିଚାରକ ମାନଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଥିଲା । ପ୍ରଦର୍ଶନୀର ପ୍ରଥମାର୍ଦ୍ଧରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟ କ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଓଡ଼ଗାଁ ମଣ୍ଡଳ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଉଦଘାଟନୀ ସଭାରେ ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଝିଲି ପ୍ରଧାନ, ପାଣ୍ଡେରିପଡା ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ରାଉତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ରାଜକିଶୋର ସାହୁ, ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ହୋଇ କୁନି ବୈଜ୍ଞାନିକ ମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ଅପରାହ୍ନରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ଅବଦୁଲ୍ କାଲାମଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରି ତାଙ୍କ ପରି ଜଣେ ବୈଜ୍ଞାନିକ ହେବାକୁ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ।ନୟାଗଡ଼ ଜିଲ୍ଲା ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ଓଡ଼ଗାଁ ବ୍ଳକ ଓସ୍ତାର ସାଧାରଣ ସମ୍ପାଦକ ଜୟକୃଷ୍ଣ ସାହୁ ପ୍ରଦର୍ଶନି ଭିତ୍ତିକ ଆଲୋଚନା ରଖିଥିଲେ। ଦେଓଗାଁ ଭାଲିଆଡିହି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଦଘାଟନୀ ଏବଂ ଉଦଯାପନୀ ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶିକ୍ଷକ ନିରାକାର ସ୍ବାଇଁ, ଗୋଦାବରୀ ବସନ୍ତିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଯଶୋବନ୍ତ ପଟ୍ଟନାୟକ, ରାଜେଶ୍ କୁମାର ଷଡ଼ଙ୍ଗୀ, ଶ୍ରୀଧର କୁମାର ପରିଡ଼ାଙ୍କ ସହିତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.