କେନ୍ଦୁଝର,ତା୨୯/୧୧- ଡିଏମଏଫ କେନ୍ଦୁଝରରେ ଗୋଟାଏ ପରେ ଗୋଟାଏ ଦୁର୍ନୀତି ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହୋଇଆସୁଛି। ମାନ୍ୟବର ଓଡିଶା ହାଇକୋର୍ଟରେ ମଧ୍ୟ ଅନେକ ମାମଲା ବିଚରାଧୀନ ଅଛି, ପୂର୍ବରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ କେତେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। କିନ୍ତୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚୟନରେ ବ୍ୟାପକ ଜାଲିଆତି କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଅଛି। ଆଇନକାନୁନକୁ ଦଳିମକଚି କେତେକ ନିର୍ଦ୍ଦିଷ୍ଟ ଅନଭିଜ୍ଞ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଓ କ୍ଷମତାଶାଳୀ ରାଜନୈତିକ ନେତାଙ୍କ ପ୍ରତି ଏହା ଆଙ୍ଗୁଳି ନିର୍ଦ୍ଦେଶ କରୁଅଛି ବୋଲି ଆରୋପ ଆସୁଛି । ଡିଏମଏଫ ଅନୁଦାନରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଜରିଆରେ କାର୍ଯ୍ୟକାରୀ ହେଉଥିବା ମା’ ଗୃହ ପରିଚାଳନା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚୟନରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲେହେଁ ପ୍ରଶାସନ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହା ଘୋଟାଲାକୁ ପ୍ରମାଣିତ କରୁଛି । ଡିଏମଏଫ ଅନୁଦାନରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିର୍ଣ୍ଣକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଯୋଡ଼ା ମ୍ୟୁନିପାଲିଟି ଠାରେ ଏକ ବୃଦ୍ଧାଶ୍ରମ ପରିଚାଳନା ପାଇଁ ଆରଏଫପି ନମ୍ବର ୩୧୬୦ ଏବଂ କେନ୍ଦୁଝର ଠାରେ ଏକ ନିଶାମୁକ୍ତ ଏବଂ ଥଇଥାନ କେନ୍ଦ୍ର ପରିଚାଳନା ପାଇଁ ଆରଏଫପି ନମ୍ବର ୩୧୬୧ ଅନୁଯାୟୀ ଗତ ତା୧୫.୧୦.୨୦୨୫ ରିଖରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ସର୍ତ୍ତକୁ ପୂରଣ କରିବାରେ ଅସମର୍ଥ ଥିବା ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଅନୁକମ୍ପା ପ୍ରଦାନ କରିବା ପାଇଁ ଉକ୍ତ ଟେଣ୍ଡରକୁ ବାତିଲ କରାଯାଇ ପୁନର୍ବାର ନୂଆ ସର୍ତ୍ତାବଳୀ ସହ ଆଦେଶନାମା ୩୩୨୪ ଏବଂ ୩୩୨୫ ଅନୁଯାୟୀ ଗତ ତା୨୭.୧୦.୨୦୨୫ରିଖରେ ଟେଣ୍ଡର ପ୍ରକାଶ ପାଇଥିବାର ଅଭିଯୋଗ ଏବେ ହେଉଛି। ଗତ ତା୨୫.୧୧.୨୦୨୫ରିଖରେ ଡିଏମଏଫର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା: ରୀନା ପ୍ରଧାନ, ଅନ୍ୟ ପଦାଧିକାରୀ ଏବଂ ଆବେଦନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସାମନାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଟେଣ୍ଡର ଖୋଲାଯାଇଥିଲା। ବୃଦ୍ଧାଶ୍ରମ ପାଇଁ ସମୁଦାୟ ଦଶଟି ଏବଂ ନିଶାମୁକ୍ତ ଏବଂ ଥଇଥାନ କେନ୍ଦ୍ର ପାଇଁ ସାତଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଆବେଦନ କରିଥିଲେ। ଟେଣ୍ଡର ସର୍ତ୍ତ ଅନୁଯାୟୀ ପ୍ରି କ୍ୱାଲିଫିକେସନ ଡକ୍ୟୁମେଣ୍ଟ, ଟେକନିକାଲ ପ୍ରପୋସାଲ ଏବଂ ଫାଇନାନସିଆଲ ପ୍ରପୋଜାଲର ପୃଥକ ପୃଥକ ଲଫାପାକୁ ଗୋଟାଏ ଲଫାପାରେ ଦେଇ ଆବେଦନ କରିବା ପାଇଁ ସର୍ତ୍ତାବଳୀରେ ଉଲ୍ଲେଖ ଅଛି। କିନ୍ତୁ ଟେଣ୍ଡର ଖୋଲାଗଲା ପରେ ଦେଖାଗଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ଦିଶା ଏବଂ ବିଶ୍ୱ ଜୀବନ ସେବା ସଂଘ ଉଭୟ ଟେଣ୍ଡରରେ ପୃଥକ ପୃଥକ ଲଫାପା ନଦେଇ ଗୋଟାଏ ଲଫାପାରେ ସମସ୍ତ ନଥିପତ୍ର ଦାଖଲ କରିଛନ୍ତି।ସର୍ତ୍ତlବଳୀ ଅନୁଯାୟୀ ଏହି ଦୁଇଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱ ଜୀବନ ସେବା ସଂଘ ଏବଂ ଦିଶାଙ୍କ ଟେଣ୍ଡର ଅସିଦ୍ଧ ଅଟେ। ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବିରୋଧୀ ଦଳରେ ଥିବା ସମୟରେ ଡିଏମଏଫର ପରିଚାଳନଗତ ତ୍ରୁଟି ଏବଂ ଦୁର୍ନୀତି ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରୁଥିଲେ। ଦେଖିବାକୁ ବାକି ରହିଲା ଏଥିରେ ଜିଲ୍ଲା ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସାଧାରଣରେ ଏହି ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନିଜେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post