ଅବହେଳିତ ପଥପ୍ରାନ୍ତ କେନ୍ଦ୍ର ସାର୍ବଜନୀନ ସୁବିଧା ବନ୍ଦ,ବଢ଼ିଲା ଅସନ୍ତୋଷ ।

0

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କଟକ–ଚାନ୍ଦବାଲି ରାସ୍ତାର ସଲାର ଛକ ନିକଟରେ ଅବସ୍ଥିତ ପଥପ୍ରାନ୍ତ କେନ୍ଦ୍ର ଏବେ ଦୟନୀୟ ଅବସ୍ଥାରେ ପଡି ରହିଛି। ସରକାରୀ ସୁବିଧା ଭିତରେ ଥିବା ଏହି କେନ୍ଦ୍ରର ଅବସ୍ଥା ଦେଖିଲେ ବହୁଦିନ ଧରି କୌଣସି ରକ୍ଷଣାବେକ୍ଷଣ ନ ହୋଇଥିବା ସ୍ପଷ୍ଟ ହେଉଛି। ପଥଚାରୀଙ୍କୁ ବିଶ୍ରାମ, ପାଣି, ସ୍ୱଚ୍ଛତା ଓ ଶୌଚାଳୟ ସୁବିଧା ଯୋଗାଇବା ପାଇଁ ସ୍ଥାପିତ କରାଯାଇଥିବା ପଥପ୍ରାନ୍ତ କେନ୍ଦ୍ର ଆଜି ଅବହେଳା ଓ ଜରାଜୀର୍ଣ୍ଣ ଅବସ୍ଥାକୁ ପହଂଚିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କୁ ନିୟମିତ ଦରମା ମିଳୁନାହିଁ। ତାହା ପାଇଁ ସଫା ,ଦୈନିକ ଦେଖାଶୁଣା, ମରାମତି କାମ ଓ ଆବଶ୍ୟକୀୟ ସାମଗ୍ରୀର ରକ୍ଷଣା ବେକ୍ଷଣ କାର୍ଯ୍ୟ ବନ୍ଦ ହୋଇ ପଡିଛି। ଏହି ଅବହେଳାର ପରିଣାମରେ କେନ୍ଦ୍ରର ବହୁ ସୁବିଧା ନଷ୍ଟ ହୋଇ ଅଚଳ ଅବସ୍ଥାରେ ପଡି ରହିଛି।
ସବୁଠୁ ଗୁରୁତର ବିଷୟ ହେଉଛି ପଥପ୍ରାନ୍ତ କେନ୍ଦ୍ରର ସାର୍ବଜନୀନ ଶୌଚାଳୟ ତାଲା ପଡି ଦୀର୍ଘଦିନ ଧରି ବନ୍ଦ ରହିଛି।ପ୍ରତିଦିନ ଏହି ପଥ ଅତିକ୍ରମ କରୁଥିବା ଜନ ସାଧାରଣଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଚାରିପଟେ ଅବ୍ୟବସ୍ଥା, ଅସୁଚିତ୍ର ପରିବେଶ ଓ ଯନ୍ତ୍ରାଂଶ ନଷ୍ଟ ହୋଇପଡିବା ନେଇ ସଚେତନ ମହଲରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ଥାନୀୟଙ୍କ କହିବା ଅନୁସାରେ, “କାଗଜରେ ପଥପ୍ରାନ୍ତ କେନ୍ଦ୍ରର ସମସ୍ତ ସୁବିଧା ଥିଲେ ମଧ୍ୟ ପ୍ରାକ୍ଟିକାଲ୍ ଭାବରେ କୌଣସି ଧ୍ୟାନ ଦିଆଯାଉନାହିଁ।ରାଜପଥ ଦେଇ ଯାତ୍ରାକାରୀଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ସ୍ଥାପିତ ଏହି ପଥପ୍ରାନ୍ତ କେନ୍ଦ୍ରର ଏପରି ଅବସ୍ଥା ନେଇ ଜନକ୍ରୋଧ ବଢ଼ୁଛି। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ରକୁ ପୁନରୁଦ୍ଧାର, ଶୌଚାଳୟ ଖୋଲାଇବା, ସଫା ନିୟମିତ କରାଯିବା ସହ କର୍ମଚାରୀଙ୍କ ଦାୟିତ୍ୱ ସୁନିଶ୍ଚିତ କରିବା ଆବଶ୍ୟକ।
ପ୍ରଶାସନ ମଧ୍ୟ ଏହି ଅବସ୍ଥା ଉପରେ ଦ୍ରୁତ ପଦକ୍ଷେପ ନ ନେଲେ ପଥପ୍ରାନ୍ତ କେନ୍ଦ୍ର ପୂରାପୂରି ଅପଯୋଗୀ ହୋଇ ପଡିବ ବୋଲି ସ୍ଥାନୀୟ ମହଲରେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.