ଝାଙ୍ଗିରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଗୌଡ଼ପୁଟ,ବିପଦପୂର୍ଣ୍ଣ ଶ୍ରେଣୀ ଗୃହରେ ଚାଲିଛି ପାଠପଢ଼ା,

0

ବର୍ଷା ହେଲେ ୨ ଶ୍ରେଣୀ କକ୍ଷରେ ୩ଶ୍ରେଣୀର ଛାତ୍ର ଛାତ୍ରୀ ନିଅନ୍ତି ଆଶ୍ରୟ

୫ ଗୋଟି ଶ୍ରେଣୀରେ ୩ ଶହ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୭ଜଣ ଶିକ୍ଷକ 

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ରହିଥିବା ବେଳେ ସଂସ୍କୃତ, କଳା ଏବଂ ବିଜ୍ଞାନ ଶିକ୍ଷକଙ୍କ ପଦବୀ ଖାଲି

ଓଡ଼ଗାଁ,୨୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ପଞ୍ଚାୟତ ଗୌଡ଼ପୁଟ ଗ୍ରାମରେ ଅବସ୍ଥିତ ବହୁ ପୁରାତନ ସୁନାମଧନ୍ୟ ଝାଙ୍ଗିରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସରକାରଙ୍କ ଅଣଦେଖାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଭୁବନେଶ୍ୱର -ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର କେନାଲ ଛକରୁ ଗୋଠବଣ ଗ୍ରାମ ଦେଇ ମାତ୍ର ୨ କିଲୋମିଟର ଦୂରରେ ଜିଲ୍ଲାର ଏହି ପୁରାତନ ହାଇସ୍କୁଲ ଅବସ୍ଥିତ । ଗୌଡ଼ପୁଟ ଝାଙ୍ଗିରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀ କକ୍ଷର ଅଭାବ ସାଙ୍ଗକୁ ଶିକ୍ଷକଙ୍କ ଅଭାବ ବିଦ୍ୟାଳୟ ପରିବେଶକୁ ଯେପରି ରୁଗଣ କରି ପକାଇଛି । ଫଳରେ ଶିକ୍ଷା ଦାନ ଏବେ ବାଧାପ୍ରାପ୍ତ ହୋଇଛି । ୫ ଗୋଟି ଶ୍ରେଣୀରେ ୩ ଶହ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୭ଜଣ ଶିକ୍ଷକ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ରହିଥିବା ବେଳେ ସଂସ୍କୃତ, କଳା ଏବଂ ବିଜ୍ଞାନ ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଥିବା ଜଣାପଡିଛି । ଅନ୍ୟପକ୍ଷରେ ଶ୍ରେଣୀ କକ୍ଷ ଅଭାବରୁ ବିପଦପୂର୍ଣ୍ଣ କକ୍ଷରେ ଚାଲିଛି ପାଠପଢ଼ା । ବର୍ଷା ହେଲେ ଚାଳରୁ ପାଣି ଗଳିଥିବା ବେଳେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ କକ୍ଷର ବାହାର ଭିତରେ ଏକାକାର ହୋଇଯାଇଥାଏ । ଫଳରେ ଏହି ସମୟରେ ୩ଶହ ଛାତ୍ର ଛାତ୍ରୀଙ୍କୁ ୨ଟି କକ୍ଷ ମଧ୍ୟରେ ଆଶ୍ରୟ ନେବାକୁ ପଡ଼ିଥାଏ । ଏବଂ ଏତିକିବେଳେ ଆଦୌ ଶିକ୍ଷାଦାନ ହୋଇପାରେ ନାହିଁ ।ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଅର୍ଦ୍ଧ ନିର୍ମିତ ରାସ୍ତା ପାଇଁ ନାହିଁ ନଥିବା ସମସ୍ୟା ସୃଷ୍ଟି କରିଥାଏ । ଛାତ୍ରଛାତ୍ରୀଙ୍କ ଠାରୁ ଶିକ୍ଷକ ମାନେ ଅନେକ ଥର ଖଣ୍ଡିଆ ଖାବରା ହୋଇଛନ୍ତି । ଗ୍ରାମବାସୀ ଓ ଅଭିଭାବକମାନେ ଏ ନେଇ ଏକାଧିକ ବାର ଆପତ୍ତି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଏଭଳି କ୍ଷେତ୍ରରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ବେଳେ ନୟାଗଡ଼ ଜିଲ୍ଲା ତଥା ଓଡ଼ଗାଁ ବ୍ଳକର ଏହି ବହୁ ପୁରାତନ ହାଇସ୍କୁଲ ପ୍ରତି ଜିଲ୍ଲା ପ୍ରଶାସନ, ରାଜନେତା ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ସ୍ବତନ୍ତ୍ର ଧ୍ୟାନ ଦେଲେ ବିଦ୍ୟାଳୟଟି ତାର ପୂର୍ବ ଗୌରବକୁ ଉଦଯିବିତ କରିବା ସହିତ ବର୍ତ୍ତମାନର ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହୋଇପାରନ୍ତେ ।

Leave A Reply

Your email address will not be published.