କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ଉତ୍ତରପ୍ରଦେଶର ବରେଲିରେ ଗତ ୨୨ ନଭେମ୍ବରରେ ଆୟୋଜିତ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ଜଣେ ଝିଅ ଏକ ଅଲୌକିକ ସଫଳତା ହାସଲ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ରତାଡ଼ିଆ ଖଣ୍ଡାସାହି ସିଂଘମ ଟାଇକୋଣ୍ଡ ଟ୍ରେନିଂ ସେଣ୍ଟରର ଛାତ୍ରୀ ଜୟଶ୍ରୀ ଦ୍ବିବେଦୀ ୧୮ଟି ରାଜ୍ୟର ଶକ୍ତିଶାଳୀ ପ୍ରତିପକ୍ଷଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ଜିତିଛନ୍ତି। ତାଙ୍କ ଏହି ଜୟ ବାସ୍ତବରେ ଓଡ଼ିଶା ପାଇଁ ଗର୍ବର ବିଷୟ। ଜୟଶ୍ରୀଙ୍କ ଲକ୍ଷ୍ୟ,ପ୍ରଶିକ୍ଷଣ ଓ ମାର୍ଶାଲ ଆର୍ଟ ପ୍ରତି ଆଗ୍ରହ ତାଙ୍କୁ ଜାତୀୟ ମଞ୍ଚରେ ସୁନା ମେଡାଲିଷ୍ଟ ବନାଇଛି। ସମଗ୍ର ରାଜ୍ୟରେ ଏହାକୁ ନେଇ ଖୁସିର ଲହରୀ ପ୍ରବାହିତ ହେଉଛି। ଛାତ୍ରୀଙ୍କ ଏହି ଅସାଧାରଣ ସଫଳତା ସମ୍ବନ୍ଧରେ ଖବର ପାଇ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର ଆୟାର ତାଙ୍କୁ ଡାକି ସମ୍ବର୍ଦ୍ଧନା କରିଛନ୍ତି। ଜିଲ୍ଲାପାଳ ଜୟଶ୍ରୀ ଓ ତାଙ୍କ କୋଚ ସୁଶାନ୍ତ କୁମାର ସାହୁଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଅପରପଟେ ଟ୍ରେନିଂ ସେଣ୍ଟରର କୋଚ ସୁଶାନ୍ତ ସାହୁ କହିଛନ୍ତି ଯେ, ଜୟଶ୍ରୀ ଦୀର୍ଘଦିନ ଧରି ନିୟମିତ ଭାବେ ଅଭ୍ୟାସ କରୁଥିଲେ ଓ ତାଙ୍କର ଲକ୍ଷ୍ୟ ସଦା ‘ନ୍ୟାସନାଲ ଗୋଲ୍ଡ’ ଥିଲା। ଆଜି ତାଙ୍କ ସେହି ସ୍ୱପ୍ନ ପୂରଣ ହୋଇଛି। ଗ୍ରାମବାସୀ, ସ୍ଥାନୀୟ ଖେଳପ୍ରେମୀ ଓ ଟ୍ରେନିଂ ସେଣ୍ଟର ସଭ୍ୟମାନଙ୍କ ମଧ୍ୟରେ ଖୁସିର ପରିବେଶ ଲକ୍ଷ୍ୟ କରାଯାଉଛି। ଜୟଶ୍ରୀଙ୍କ ସଫଳତା ନିଶ୍ଚିତଭାବେ ଗ୍ରାମ ଓ ଜିଲ୍ଲାର ଅନ୍ୟାନ୍ୟ ନାରୀ ପ୍ରତିଭାମାନଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.