କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସାଂସଦ ଖେଳ ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟ ପାଇଁ କେନ୍ଦ୍ରାପଡ଼ାରେ ପ୍ରସ୍ତୁତି ବୈଠକ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସୁସ୍ଥ ଜୀବନ ଶୈଳୀକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ରାପଡ଼ାରେ ସାଂସଦ ଖେଳ ମହୋତ୍ସବ ୨୦୨୫ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲାର ସର୍କିଟ ହାଉସ୍ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବ୍ଲକ୍ ଲେବଲ ପ୍ରତିଯୋଗିତାର ସଫଳ ଆୟୋଜନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।ପ୍ରତି ବ୍ଲକରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏକ ସୁଯୋଗ ଦେବା ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ ।ବୈଠକରେ କ୍ରୀଡ଼ା ସାମଗ୍ରୀର ଯୋଗାଣ, ଖେଳ ପଡ଼ିଆର ପ୍ରସ୍ତୁତି, ଖେଳାଳୀଙ୍କ ପଞ୍ଜୀକରଣ, ସୁରକ୍ଷା ବ୍ୟବସ୍ଥା, ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା ।ଏଥିରେ ଅନେକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ ।ସମସ୍ତ ବ୍ଲକରେ ଶାନ୍ତିଶୃଙ୍ଖଳା ସହ ପ୍ରତିଯୋଗିତା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ କେବଳ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନୁହେଁ, ବରଂ ଯୁବପିଢ଼ିଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯିବ ।ବ୍ଲକ୍ ସ୍ତରରୁ ମନୋନୀତ ଖେଳାଳୀମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି ।ସାଂସଦ ଖେଳ ମହୋତ୍ସବ ୨୦୨୫ କେନ୍ଦ୍ରାପଡ଼ା ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିବ ଏବଂ ଜିଲ୍ଲାର କ୍ରୀଡ଼ା ପ୍ରତିଭାଙ୍କୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବ ବୋଲି ଆଶା କରାଯାଉଛି ।