ଅଲୋଡା ହୋଇ ପଡିଛି ମୁକ୍ତ ଆକାଶ ବ୍ୟାୟାମ ଶାଳା

3

ରକ୍ଷଣାବେକ୍ଷଣ ଅଭାବରୁ ଉଦେଶ୍ୟ ସାଧନରେ ବାଧକ

ଓଡ଼ଗାଁ,୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ରାମସାଗର ପୁଷ୍କରିଣୀର ପୂର୍ବ ପାର୍ଶ୍ୱ ରାମେଶ୍ବର ମହାଦେବଙ୍କ ମନ୍ଦିର ନିକଟ ହୁଡାରେ ନିର୍ମାଣ ହୋଇଥିବା ମୁକ୍ତ ଆକାଶ ବ୍ୟାୟାମ ଶାଳା ସହିତ ଶିଶୁ ଉଦ୍ୟାନର ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ଅବ୍ୟବହୃତ ହୋଇପଡ଼ିଥିବା ବେଳେ ଯନ୍ତ୍ରାଂଶ ସବୁ ନଷ୍ଟ ହେବାକୁ ବସିଲାଣି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାୟାମ ଶାଳା ଓ ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଶିଶୁ ଉଦ୍ୟାନ ଏବେ ଚରମ ଅବହେଳିତ ହୋଇ ପଡ଼ିରହିଛି । ଫଳରେ ବ୍ୟାୟାମ ଓ ଉଦ୍ୟାନ ପାଇଁ ବ୍ୟବହୃତ ଯନ୍ତ୍ରାଂଶ ସବୁରେ କଳଙ୍କି ଲାଗିବାକୁ ବସିଲାଣି । ସଫାସୁତୁରା ଅଭାବରୁ ଉକ୍ତ ସ୍ଥାନଟି ଘାସଘୁଶାରେ ପରିପୂର୍ଣ୍ଣ ହେବା ସହିତ ସେ ଗୁଡ଼ିକରେ ମଧ୍ୟ ଘାସ ଚଢିଗଲାଣି । ଫଳରେ ସ୍ଥାନଟି ପରିତ୍ୟକ୍ତ ଅବସ୍ଥାରେ ପରିଣତ ହୋଇଯାଇଛି । ଏତଦବ୍ୟତୀତ ଏହି ବ୍ୟାୟାମ ଶାଳାଟି ପୁଷ୍କରିଣୀକୁ ଲାଗି ରହିଥିବା ବେଳେ ଚତୁଃପାର୍ଶ୍ଵରେ କୌଣସି ଆବଦ୍ଧ ବ୍ୟବସ୍ଥା କରାଯାଇନାହିଁ । ଫଳରେ ବର୍ଷାଦିନରେ ପୁଷ୍କରିଣୀ ପାଣି ଭର୍ତ୍ତି ହୋଇ ରହିଥିବାରୁ ଶିଶୁ ମାନଙ୍କୁ ସେଠାରେ ଖେଳିବା ପାଇଁ ଘରଲୋକେ ଆକଟ କରୁଛନ୍ତି । ଏଣୁ ବହୁ ଅର୍ଥ ବ୍ୟୟରେ ନିର୍ମିତ ମୁକ୍ତ ଆକାଶ ବ୍ୟାୟାମ ଶାଳା ତଥା ଶିଶୁ ଉଦ୍ୟାନ ସାଧାରଣ ରକ୍ଷଣାବେକ୍ଷଣ ଅଭାବରୁ ନିର୍ମାଣର ଉଦେଶ୍ୟ ସାଧନରେ ବାଧକ ସୃଷ୍ଟି ହୋଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.