ଦେଶ କରମ ପର୍ବ ଲାଗି ବୈତରଣୀ ନଦୀରୁ ଜାୱା ଉଠିଲା।

0

କେନ୍ଦୁଝର,ତା୨୮/୮- କୁଡୁମୀ ସମ୍ପ୍ରଦାୟ କୃଷି ଉପରେ ନିର୍ଭର କରନ୍ତି ତେଣୁ କରମ ଓ ମକରକୁ ମୁଖ୍ୟ ପର୍ବ ରୂପେ ପାଳନ କରନ୍ତି। ଭାଦ୍ରବ ଏକାଦଶୀରେ ଦେଶ କରମ ପର୍ବ ସେମାନେ ଧୂମଧାମରେ ପାଳନ କରନ୍ତି। ତେଣୁ ଏହି ମୁଖ୍ୟ ପର୍ବ ପାଳନର ସାତ ଦିନ ଆଗରୁ ପାଟଣା ବ୍ଲକ ଅନ୍ତର୍ଗତ ଧାନବେଣୀର ବୈତରଣୀ ନଦୀରୁ ସେମାନେ ଏକତ୍ରିତ ହୋଇ ଜାୱା ଉଠାଇଛନ୍ତି। ମକର ବେଳେ ସୂର୍ଯ୍ୟ ଉତ୍ତରାୟଣ ହେଉଥିବା ବେଳେ କରମ ଦିନ ଦକ୍ଷିଣାୟନ ହେବାକୁ ଆରମ୍ଭ କରନ୍ତି। ପବିତ୍ର ଜାୱା ଉଠାଣ ବେଳେ ନଦୀରୁ ବାଲି ଉଠାଇ ସେଥିରେ ସାତ ପ୍ରକାର ଶସ୍ୟ ବୁଣାଯାଏ ଯେପରି ଦେଶ କରମ ପର୍ବ ଦିନବେଳକୁ ସେଥିରେ ଅଙ୍କୁରୋଦଗମ ହେଇସାରିଥିବ। ଏଥି ପାଇଁ ଜାୱା ଉଠାଣ କରିଥିବା କୁଡୁମୀ ମହିଳା ମାନେ ସାତ ଦିନ ଏନ୍ତୁଡ଼ିଶାଳ ନିୟମ ପାଳନ କରିଥାଆନ୍ତି।

ଖାଇବାରେ କଟକଣା ଭିତରେ ରୁହନ୍ତି ଶସ୍ୟକୁ ନିଜ ସନ୍ତାନ ପରି ନିଷ୍ଠାର ସହ ପାଳନ୍ତି ଏହା କୁଡୁମୀ ମାନଙ୍କର ପ୍ରକୃତିକୁ ଭଲ ପାଇବାର ନିଆରା ନିଦର୍ଶନ। ଓଡ଼ିଶା,ଝାଡ଼ଖଣ୍ଡ, ବିହାର, ବଙ୍ଗଳା, ଆସାମ ରାଜ୍ୟରେ ଏହି ଦେଶ କରମ ପର୍ବ ଏକ ମୁଖ୍ୟ ପର୍ବ। ପର୍ବ ଅବସରରେ ଘରେ ଘରେ କୁଣିଆ ମଇତ୍ର ଆସି ଏକତ୍ର ହୁଅନ୍ତି। ଘରେ ସଫାସୁତୁରା ସରିଥାଏ ପୂଜା ପାଠ ସାରି ପିଠା ପଣା ଖାଇ କୁଡୁମୀ ଲୋକେ ଏକତ୍ରିତ ହୋଇ ପର୍ବ ପାଳନ କରନ୍ତି ମାଦଳ ତାଳେ ତାଳେ ଝିଅ ପୁଅ କୁଡୁମାଳୀ ଭାଷାରେ ଝୁମର ଗାଇ ନୃତ୍ୟ କରନ୍ତି ଯାହା ଦେଖିବାକୁ ଖୁବ ମନୋମୁଗ୍ଧକର। ଆଜି ତେଣୁ ଧାନବେଣୀ ଠାରେ କୁଡୁମୀ ସମାଜର ହଜାର ହଜାର ଲୋକ ଓ ମହିଳାଙ୍କ ସମାଗମ ହୋଇଥିଲା। କୁଡୁମୀ ସମାଜ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.