ଧାନ୍ଦୁପାଲି ହାତୀ ଆକ୍ରମଣ ଘଟଣା, ପରିବାର ବର୍ଗଙ୍କୁ ଭେଟିଲେ ବିଧାୟିକା : ମୃତ ପରିବାରକୁ ୨ ଲକ୍ଷ କ୍ଷତି ପୂରଣ

0

ପାଇକମାଳ:- ପାଇକମାଳ ବ୍ଳକ ଟେମରୀ ପଞ୍ଚାୟତ ଧାନ୍ଦୁପାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ର ପଠାରରୁ ଏକ ବଣୁଆ ହାତୀ ବୁଲାବୁଲି କରୁଥିଲା । ଧାନ୍ଦୁପାଲି ଗାଁର ବଳରାମ ରଣା (୬୧) ଓ ତାଙ୍କ ପତ୍ନୀ ଶଶି ରଣା (୫୭) ଦୁହେଁ ନିଜ ବିଲ କୁ ପନିପରିବା ଚାଷ ଜଗିବା ପାଇଁ ଯାଇଥିଲେ । ରାତ୍ରିରେ ସେହି ବଣୁଆ ହାତୀ ଟି ଉଭୟ ଙ୍କୁ ଆକ୍ରମଣ କରି ଦଳି ଦେବା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇବା ପରେ ବନ ବିଭାଗ ସେହି ଅଞ୍ଚଳରେ ରାତିସାରା ପେଟ୍ରୋଲିଂ ଜାରି ରଖିଥିଲା । ସକାଳେ ବନ ବିଭାଗ ରେଞ୍ଜର ହୃଦାନନ୍ଦ ମିଶ୍ର, ରଜନିକାନ୍ତ ବଢେଇ, ଦୋଳଗୋବିନ୍ଦ ବରିହା, ବସନ୍ତ ବାଗ , ରମେଶ ପ୍ରଧାନ, ଦିବାକର ବାଗ ପ୍ରମୁଖ ବନ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର କୁ ପଠାଇଥିଲେ । ଏହି ଦୁଃଖଦ ଖବର ପାଇବା ପରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇ ଶୀଘ୍ର କ୍ଷତିପୂରଣ ଦେବା ସରକାରଙ୍କୁ ନିବେଦନ କରିଛନ୍ତି। ଏନେଇ ବନ ବିଭାଗ ତରଫରୁ ଅନୁକମ୍ପାମୂଳକ ଭାବେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇ ଥିବା ବେଳେ ଆଉ ୧୮ ଲକ୍ଷ ଦିଆଯିବ ବୋଲି ଡିଏଫଓ ଜଣାଇଛନ୍ତି । ମୃତ ଦମ୍ପତି ଙ୍କ ପୁଅ ଉପେନ୍ଦ୍ର ରଣା ଓ ମହେନ୍ଦ୍ର ରଣା ତାଙ୍କ ପରିବାର ସହ ଧାନ୍ଦୁପାଲି ଗ୍ରାମ ରେ ରହୁଛନ୍ତି ।

Leave A Reply

Your email address will not be published.