ଲିଙ୍ଗରାଜ ପ୍ରସାଦ ଗୋଷ୍ଠୀ ସଂଘର୍ଷ ଘଟଣା, ଗାଁ କମିଟି ସଭାପତି ବିଚାର ବିଭାଗୀୟ ହାଜତକୁ ଗଲେ

0 1

ଓଡ଼ଗାଁ,୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ଲିଙ୍ଗରାଜ ପ୍ରସାଦ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଗୋଟିଏ ଗୋଷ୍ଠୀର ୫ଜଣ ଆହାତ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ୧୨ ଜଣଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କ ମଧ୍ୟରୁ ଜୀବନରେ ମାରିବାକୁ ଉଦ୍ୟମ ଅଭିଯୋଗରେ ଗାଁ ପରିଚାଳନା କମିଟି ସଭାପତି ପ୍ରଫୁଲ ମହାନ୍ତିଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୋଗ ଅନୁସାରେ ଗ୍ରାମ୍ୟ ପୁଷ୍କରିଣୀ ଏବଂ ରାସ୍ତାକୁ ନେଇ ଦୀର୍ଘ ୫ବର୍ଷ ଧରି ଗ୍ରାମ୍ୟ ବିବାଦ ଲାଗିଥିବା ବେଳେ କୁରାଳ ସରପଞ୍ଚ ଏବଂ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ରବିବାର ଅପରାହ୍ନରେ ଗ୍ରାମର ଉଭୟ ଗୋଷ୍ଠୀଙ୍କ ଉପସ୍ଥିତିରେ ବିବାଦର ସମାଧାନ ପାଇଁ ବସିଥିଲେ ।ଆଲୋଚନା ବେଳେ ଗୋଟିଏ ଗୋଷ୍ଠୀର ରମେଶ ମହାନ୍ତି, ଲୋଚନ ସିଂ ସହିତ ଉକ୍ତ ଗୋଷ୍ଠୀର ଅନ୍ୟ ୧୦ ଜଣ ହଠାତ୍ ଉତ୍ୟକ୍ତ ହୋଇ ପଡ଼ି ସଭାସ୍ଥଳ ଛାଡି ଚାଲିଯାଇଥିଲେ । ହାତରେ ମାରଣାସ୍ତ୍ର ଧରି ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଫଳରେ ପଞ୍ଚାନନ ସିଂ, ତାଙ୍କ ସ୍ତ୍ରୀ ସୁନିତା ସିଂ, ସୈାମ୍ୟ ରଞ୍ଜନ ସିଂ, ତୋଫାନ ସିଂ, ସାଧୁ ସିଂଙ୍କ ଗୋଷ୍ଠୀରୁ ୫ଜଣ ଆହତ ହୋଇଥିଲେ । ସେମାନଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା ।ଚିକିତ୍ସା ପରେ ଗୋଟିଏ ଗୋଷ୍ଠୀ ତରଫରୁ ପଞ୍ଚାନନ ସିଂ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଥିଲା । ପୋଲିସ ୨୬୧ ଏବଂ ୨୬୨/୨୦୨୫ରେ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।ସୂଚନା ଥାଉକି ଗୋଟିଏ ପକ୍ଷର ଅଭିଯୋଗକାରି ପଞ୍ଚାନନ ସିଂ ଦୀର୍ଘ ଦିନ ଧରି ଗାଁରୁ ବାସନ୍ଦ ରହିଛନ୍ତି।

Leave A Reply

Your email address will not be published.