ଡାବୁଗାଁ: ରାଜ୍ୟର ହଜାର ହଜାର ବୃଦ୍ଧବୃଦ୍ଧା,ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ରାଜ୍ୟ ସରକାର ଭତ୍ତା ପ୍ରଦାନ ରେ ଅହେତୁକ ବିଳମ୍ୱ କରୁଥିବା ପ୍ରତିବାଦରେ ଆଜି ଡାବୁଗାଁ ବ୍ଲକ ବିଜେଡି ଦଳ ତରଫରୁ ବିଡିଓ ସମୀର କୁମାର ପାତ୍ରଙ୍କ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଦାବୀ ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ନେଇ ଦାବିପତ୍ରରେ ଚେତାବନୀ ଦିଆଯାଇଛି । ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଶୁକ୍ରବାର ବ୍ଲକ ର ୧୨ ଗୋଟି ପଞ୍ଚାୟତ ର ୨ ହଜାରରୁ ଉର୍ଦ୍ଧ ଭତ୍ତା ପାଉଥିବା ହିତାଧିକାରୀ ଡାବୁଗାଁ ରେ ଏକତ୍ରିତ ହୋଇଥିଲେ। ଅପରାହ୍ନରେ ତହସିଲ କାର୍ଯ୍ୟାଳୟରୁ ଏକ ବିରାଟ ରାଲି କରାଯାଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ରମେଶ ମାଝୀ,ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା ପ୍ରମୁଖ ଯୋଗ ଦେଇଥିଲେ। ବିଜେପି ନେତୃତ୍ୱାଧୀନ ମୋହନ ମାଝୀଙ୍କ ସରକାର ବିରୁଦ୍ଧରେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଦେବାରେ ଅହେତୁକ ବିଳମ୍ୱ ନେଇ ନାରାବାଜି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ବିକ୍ଷୋଭ ସଭା କରାଯାଇ ରାଜ୍ୟ ସରକାର ଉପରେ ଅତିଥି ଗଣ ବର୍ଷିଥିଲେ । ବିଜେଡି ସରକାର ଅମଳରେ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ କେବେ ଭତ୍ତା ପ୍ରଦାନ ରେ ବିଳମ୍ବ କରାଯାଉ ନ ଥିବା ବେଳେ ବର୍ତ୍ତମାନ ର ସରକାର ଭତ୍ତା ପ୍ରଦାନ ରେ ବିଳମ୍ବ କରୁଥିବାରୁ ପ୍ରତ୍ୟେକ ଦିନ ହିତାଧିକାରୀ ମାନେ ବ୍ଲକ,ପଞ୍ଚାୟତ ଓ ବ୍ୟାଙ୍କ କୁ ଧାଇଁ ଧାଇଁ ନୟାନ୍ତ ହୋଇ ଗଲେଣି ବୋଲି କହିଥିଲେ।ଏହାପରେ ବିଜେଡି ଦଳ ତରଫରୁ ବିଡିଓ ସମୀର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୀଘ୍ର ଭତ୍ତା ପ୍ରଦାନ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ୭ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଦଳ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ନେଇ ଚେତାବନୀ ଦିଆଯାଇଛି ।କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ,ଏମ ବୁଲୁ ରାଓ ,ଆର ପ୍ରକାଶ ରାଓ,ବିନୋଦ ପଟ୍ଟନାୟକ,ଜି ପ୍ରକାଶ ରାଓ, ନର ସିଂ କଲାର,ବୁଦୁରାମ ଜାନି ,ବିକ୍ରମ ଗୌଡ,ଏମ ଭାସ୍କର ରାଓ,ରମେଶ ପଟ୍ଟନାୟକ,ସହ ବିଜେଡି ର କାର୍ଯ୍ୟକର୍ତ୍ତା ଓ ୨ ହଜାରରୁ ଉର୍ଦ୍ଧ ହିତାଧିକାରୀ ଯୋଗ ଦେଇଥିଲେ।