ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର. ଅଳ୍ପକେ ବର୍ତିଲେ ଚିକିତ୍ସିତ ରୋଗୀ

0 2

ବାରିପଦା- ପିଆରଏମ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରକ୍ଷଣାବେକ୍ଷଣ ଅଭାବରୁ ହସ୍ପିଟାଲର ଛାତରୁ ପ୍ଳାଷ୍ଟର ଖସି ପଡିଥିବା ବେଳେ ଚିକିତ୍ସିତ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜିଲ୍ଲାର ସଦର ମହକୁମା ବାରିପଦା ସ୍ଥିତ ପଣ୍ଡିତ୍ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ପୁରୁଷ ସର୍ଜିକାଲ ୱାର୍ଡରେ ଉକ୍ତ ଘଟଣା ଘଟିଛି। ଶଶଧର ବାରିକ ନାମକ ବ୍ୟକ୍ତି ଜଣକ ଅସ୍ତ୍ରୋପଚାର ହୋଇଥିବା ବେଳେ ୱାର୍ଡର ୮ନମ୍ବର ବେଡ଼ରେ ଥିଲେ। ରବିବାର ପୂର୍ବାହ୍ନ ସମୟରେ ହଟାତ ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ପଡିଥିଲା। ତେବେ ଭାଗ୍ୟବଶତଃ ପ୍ଲାଷ୍ଟର ଖଣ୍ଡଟି ରୋଗୀଙ୍କ ବେଡ଼ ଉପରେ ପଡ଼ିଥିବା ବେଳେ ରୋଗୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। କର୍ତ୍ତୃପକ୍ଷ ହସ୍ପିଟାଲର ସଠିକ ଭାବେ ରକ୍ଷଣା ବେକ୍ଷଣା କରୁନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି ବୋଲି ଚିକିତ୍ସିତ ରୋଗୀ ଶ୍ରୀ ବାରିକ କହିଛନ୍ତି। ପୂର୍ବରୁ ଚକ୍ଷୁ ବିଭାଗରେ ପ୍ଲାଷ୍ଟର ଖସିଥିବା ବେଳେ ସିଲିଂ ଓ ଛାତରୁ ଫ୍ୟାନ୍ ଗଳି ପଡିଥିବାର ନଜିର ରହିଛି। ରକ୍ଷଣାବେକ୍ଷଣ ଅଭାବ ପାଇଁ ଏହିପରି ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଟଣା ପରେ ରୋଗୀ ଭୟଭୀତ ହୋଇ ରହିଥିବା ନେଇ ୱାର୍ଡରେ ଚିକିତ୍ସିତ ସମସ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କହିଛନ୍ତି। ସର୍ଜିକାଲ ୱାର୍ଡରେ ଅସ୍ତ୍ରପ୍ରଚାର ପରେ ଗୁରୁତର ରୋଗୀ ରହିଥାନ୍ତି। ଏଭଳି ଏକ ଗୁରୁତ୍ଵପୂର୍ଣ ୱାର୍ଡରେ ଏଭଳି ଘଟଣା ନିଶ୍ଚିତ ଭାବେ ଚିନ୍ତାଜନକ ଅଟେ। ତେବେ ଲଘୁଚାପ ପ୍ରଭାବରେ ୨/୩ ଦିନ ହେବ ଲଗାଣ ବର୍ଷା ହେଉଥିବାରୁ ପ୍ଲାଷ୍ଟର ଖସି ପଡିଥିବା ନେଇ ଆଶଙ୍କା କରାଯାଉଛି। ଏଥିପ୍ରତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ ବୋଲି ହସ୍ପିଟାଲର ଅଧ୍ୟକ୍ଷ ଡା ରବୀନ୍ଦ୍ର କୁମାର ମିଶ୍ର କହିଛନ୍ତି।

Leave A Reply

Your email address will not be published.