ପୁଣି ଛାତ୍ରୀ ଆନ୍ଦୋଳନ, ପ୍ରାଧ୍ୟାପକଙ୍କ ବଦଳି ନିର୍ଦ୍ଦେଶ ବାତିଲ ଦାବି

0 2

ବାରିପଦା: କିଛି ଦିନର ବ୍ୟବଧାନ ପରେ ପୁଣି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଭୂତତ୍ତ୍ଵ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସତ୍ୟ ସୌରଭ ବେହେରାଙ୍କୁ ଚଳିତ ଶିକ୍ଷାବର୍ଷ ମଝିରେ ହଠାତ୍ କୌଣସି କାରଣ ନଥାଇ ବଦଳି କରାଯାଉଛି। ଯାହାକୁ ପ୍ରତିବାଦ କରି ବଦଳି ନିର୍ଦ୍ଦେଶ ବାତିଲ ଦାବିରେ କଲେଜର ଶତାଧିକ ଛାତ୍ରୀ ଆନ୍ଦୋଳନ କରିଛନ୍ତି। ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲାବନ୍ଦ ସହ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଶାସନ ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନକାରୀ ଛାତ୍ରୀ ଅନୁଷ୍କା ପ୍ରଧାନ ଓ ଅଘ୍ରରୂପା ମହାକୁଡ ପ୍ରମୁଖଙ୍କ କହିବା ଅନୁଯାୟୀ ଶିକ୍ଷାବର୍ଷର ଅଧାରୁ ହଠାତ୍ ଅଧ୍ୟାପକଙ୍କୁ ବଦଳି କରାଯାଇଥିବା ବେଳେ ଭୂତତ୍ତ୍ଵ ବିଷୟରେ ଅଧ୍ୟୟନରତ ତିନିବର୍ଷର ୯୬ଜଣ ଛାତ୍ରୀଙ୍କ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବା ନିଶ୍ଚିତ ଅଟେ। ନିୟମିତ ଅଧ୍ୟାପକ ନଥ‌ିବା ଦୃଷ୍ଟିରୁ ବିଭିନ୍ନ ବିଷୟରେ ଛାତ୍ରୀମାନେ ମଧ୍ୟ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ବଦଳି ବାତିଲ ଦାବିରେ ବିଭିନ୍ନ କର୍ତ୍ତୃପକ୍ଷଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ
କୌଣସି ସମାଧାନ ନ ହେବାରୁ ପୁଣି ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି। ଯଦି ଅଧ୍ୟାପକଙ୍କ ବଦଳି
ବାତିଲ ନ ହୁଏ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ଏନେଇ କଲେଜ ଅଧ୍ୟକ୍ଷା ସାଗରିକା ସିଂ କହିଛନ୍ତି ଯେ, ଛାତ୍ରୀ ମାନଙ୍କ ଦାବିକୁ ଉଚ୍ଚ ଶିକ୍ଷା ବିଭାଗର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ଯାହା ନିଷ୍ପତ୍ତି ଉଚ୍ଚ ଶିକ୍ଷା ବିଭାଗ ଗ୍ରହଣ କରିବ, ତାହା କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.