ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ଦୋଡ଼ଙ୍ଗା ଗ୍ରାମରେ ଏକ ସରକାରୀ ଜମିକୁ ନେଇ ଦୀର୍ଘ ଦିନ ଧରି ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଲାଗିରହିଛି ବିବାଦ I ପ୍ରଶାସନିକ ହସ୍ତକ୍ଷେପ ସତ୍ତ୍ୱେ ବିବାଦ ଥମିବାର ନାଁ ଧରୁନି I ଗ୍ରାମର ସବର୍ଣ୍ଣ ଗୋଷ୍ଠୀଙ୍କ କହିବା ପ୍ରକାରେ ସେମାନେ ପ୍ରଶାସନର କଟକଣାକୁ ସମ୍ମାନ ଦେଉଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀ କିନ୍ତୁ ଆଇନ୍ କୁ ପାଦରେ ଠେଲି ଦେଇ ଜମି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି I ଏଥିପାଇଁ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ବଡ଼ ଦୋଡ଼ଙ୍ଗା ଗ୍ରାମ ବର୍ତ୍ତମାନ ପୋଲିସ୍ ଛାଉଣୀ ଭିତରେ ରହିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ସୂଚନା ପ୍ରକାରେ ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ବଡ଼ ଦୋଡ଼ଙ୍ଗା ମୌଜାର ପ୍ଲଟ୍ ନମ୍ବର୍ 503 ଏବଂ 506 ରେ ଥିବା ତିନି ଏକର ସରକାରୀ ଜମିକୁ ନେଇ ଗ୍ରାମର ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି I ଗତ ବର୍ଷ ସରକାରଙ୍କ କଟକଣା ସତ୍ତ୍ୱେ ଏହି ବିବାଦୀୟ ଜମିରେ ଗ୍ରାମର ଅସବର୍ଣ୍ଣ ଗୋଷ୍ଠୀ ଧାନ ଚାଷ କରିଥିଲେ I ଏହାକୁ ନେଇ ଗତ ଡିସେମ୍ବର୍ ମାସରେ ଗ୍ରାମର ସବର୍ଣ୍ଣ ଗୋଷ୍ଠୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ I ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତତ୍କାଳିନ ଉପଜିଲ୍ଲାପାଳ, ବେଲଗୁଣ୍ଠା ତହସିଲଦାର, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା I ଫଳରେ ପ୍ରଶାସନ ବାଧ୍ୟ ହୋଇ ଧାନ ଚାଷ ହୋଇଥିବା ବିବାଦୀୟ ଜମିରେ ନାଲି ପତାକା ଲଗାଇ 144 ଧାରା ଜାରି କରିଥିଲେ I କିନ୍ତୁ ଏହାକୁ ଅମାନ୍ୟ କରି ଅସବର୍ଣ୍ଣ ଗୋଷ୍ଠୀର ଲୋକେ ଜୋରଜବରଦସ୍ତ ଜମିରୁ ଧାନ କାଟି ନେଇଥିଲେ I ବର୍ତ୍ତମାନ ସୁଦ୍ଧା ଜମି ବିବାଦର କୌଣସି ସମାଧାନ ହୋଇନଥିବା ବେଳେ ଏଥିରେ ୧୪୪ ଧାରା କଟକଣା ବଳବତ୍ତର ରହିଛି I କିନ୍ତୁ କଟକଣା ବଳବତ୍ତର ସତ୍ତ୍ୱେ ଅସବର୍ଣ୍ଣ ଗୋଷ୍ଠୀ ପୁନର୍ବାର ଜମିରେ ଧାନ ରୋଇବା ପାଇଁ ଯୋଜନା କରୁ୍ଥିବା ସବର୍ଣ୍ଣ ଗୋଷ୍ଠୀର ଲୋକେ ସନ୍ଦେହ କରୁଛନ୍ତି I ଏନେଇ ସବର୍ଣ୍ଣ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଅଶାନ୍ତି ବୃ୍ଦ୍ଧି ପାଇବାରେ ଲାଗିଛି I ଏହା ହିଂସା ଏବଂ ଗୋଷ୍ଠୀ ସଂଘର୍ଷର ରୂପ ନେବାର ଆଶଙ୍କା କରି ପ୍ରଶାସନ ତତ୍ପର ହେବା ସହିତ ଗ୍ରାମରେ ପୋଲିସ୍ ଛାଉଣୀ କରିଛି I ଅନ୍ୟପଟେ ଗ୍ରାମରେ ପୋଲିସ୍ ଛାଉଣୀ ସାଧାରଣ ଜୀବନଯାତ୍ରା ଉପରେ ପ୍ରଭାବ ପକାଇଛି I ଗ୍ରାମରେ ପୋଲିସ୍ ର ଉପସ୍ଥିତିରେ ଗ୍ରାମବାସୀଙ୍କ ମନରେ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି I
Sign in
Sign in
Recover your password.
A password will be e-mailed to you.