ନୟାଗଡ଼(ବିଶ୍ୱଜିତ ନାୟକ) :- ସାହିତ୍ୟ ହେଉଛି ସମାଜର ଦର୍ପଣ । ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରି ଦେଇପାରେ । କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବକୁ ନେଇ ପରିପୁଷ୍ଟ । \’ସେଇ ଝିଅ ଶିବାନୀ\’ ଉପନ୍ୟାସ ନାରୀ ସଶକ୍ତିକରଣ, ଶୋଷଣବାଦୀ ସମାଜ ବ୍ୟବସ୍ଥାର ବିଭତ୍ସ ବିରୂପ, ସମ୍ବେଦନଶୀଳ ନାରୀ ମନର କଥା ଓ ଗାଥା, ତତସହିତ କାଳକ୍ରମେ ହଜି ଯାଉଥିବା ଶବ୍ଦମାନଙ୍କୁ ପ୍ରୟୋଗ କରି ପାଠକୀୟ ଉତ୍କଣ୍ଠାର ସୁପରିବାହି ମସଲାରେ ଭରପୂର ବୋଲି ମତବ୍ୟକ୍ତ କରିଥିଲେ ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ । ସମୀକ୍ଷକ ଭାବରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ଆୟୋଜିତ ସାରସ୍ବତ ସମାରୋହରେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ସାହୁ ଭାବବିହ୍ୱଳ ହୋଇ ମତ ରଖିଥିଲେ । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାଟ୍ୟ ଭୁଷଣ ଡ. ବିଜୟ କୁମାର ଚୌଧୁରୀ ବିଶ୍ଵନାଥ ମହାପାତ୍ରଙ୍କ ସାହିତ୍ୟର ନାନାବିଧ ବିଭବ ଉପରେ ଆଲୋକପାତ କରି ଓଡ଼ିଆ ସାହିତ୍ୟ ଜଗତକୁ ଏହା କିଭଳି ଋଦ୍ଧିମନ୍ତ କରୁଛି ବୋଲି କହିଥିଲେ । ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ପୁସ୍ତକଟିର ପାଠକୀୟ ଉତ୍କଣ୍ଠା ଉପରେ ଭାବପୂର୍ଣ୍ଣ ଟିପ୍ପଣୀ ଦେଇ ଶ୍ରୀ ମହାପାତ୍ରଙ୍କର ଏହା ସଫଳ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ । ଆକାଶବାଣୀର ଉଦଘୋଷକ ଜଗନ୍ନାଥ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ଲେଖକ କିଭଳି ଭାବରେ ପୁରୀ କଲେଜରେ ପଢିଲା ବେଳେ ଛାତ୍ର ନେତା ଭାବରେ ତାଙ୍କୁ ପ୍ରଭାବିତ କରିଥିଲେ ତାହାର ଚିତ୍ର ତୋଳି ଧରିଥିଲେ । ପୁସ୍ତକର ପ୍ରକାଶକ ଶରତ ଚନ୍ଦ୍ର ବେହେରା ପ୍ରଥମେ ସ୍ଵାଗତ ଅଭିଭାଷଣ ପ୍ରଦାନ କଲା ପରେ ସାହିତ୍ୟିକ ପ୍ରିୟମ୍ବଦା ଦାଶ, ଡ. କୈଳାସ ଚନ୍ଦ୍ର ବାଣ୍ଠ, ନାରାୟଣ ଶୁକ୍ଳା, ସନ୍ତୋଷ କୁମାର ସାହୁ, ନବକିଶୋର ସାମନ୍ତରାୟ, ଲେଖକ ପରିଷଦ ସମ୍ପାଦକ ଏସ୍ ଏ ଖାଲିକ୍ ପ୍ରମୁଖ ପାଠକୀୟ ଚର୍ଚ୍ଚାରେ ଭାଗ ନେଇଥିଲେ । ସାହିତ୍ୟ କୃତି ପାଇଁ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ କବି ଓ ସାହିତ୍ୟିକ ଅଧ୍ୟାପକ ନବକିଶୋର ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲେଖକ ବିଶ୍ଵନାଥ ମହାପାତ୍ର ନିଜର ଅଭିବ୍ୟକ୍ତି ଛଳରେ ନୟାଗଡ଼ ଜିଲ୍ଲାର ସାହିତ୍ୟ ସାଧକଙ୍କୁ ନିରୁତା, ନିର୍ଭୀକ ଓ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି କରିବା ପାଇଁ ଆବେଗଭରା ନିବେଦନ ରଖିଥିଲେ । କବି ଗୋପୀନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଲେଖକଙ୍କର ଚର୍ଚ୍ଚିତ ଉପନ୍ୟାସ ‘ଯୁଗାନ୍ତକାରୀ ଜାରା\’ ପଞ୍ଚମ ସଂସ୍କରଣ ଲୋକାର୍ପିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.