ବିଏମସି ଆସିଷ୍ଟାଣ୍ଟ୍ କମିଶନର୍ ଙ୍କୁ ମାଡ଼ ବିରୋଧରେ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ; ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଭୁବନେଶ୍ଵର ମହାନଗର ନିଗମର ଆସିଷ୍ଟାଣ୍ଟ୍ କମିଶନର୍ କୁ ମାଡ଼ ଘଟଣାକୁ ବିରୋଧ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ଓଏଏସ୍ ସଂଘର ଆହ୍ୱାନ କ୍ରମେ ସମଗ୍ର୍ ରାଜ୍ୟର ଓଏଏସ୍ ମାନେ ଦୁଇ ଦିନିଆ ଛୁଟିରେ ରହିବା ପରେ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି I ଯାହାର ପରିଣାମରୁ ଭୋଗୁଛନ୍ତି ସାଧାରଣ ଜନତା I ଏହାର ପ୍ରଭାବ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିରେ ମଧ୍ୟ ଦେଖିବାକୁ ମିଳିଛି I ବେଲଗୁଣ୍ଠାର ତିନି ଓଏଏସ୍ ଅଧିକାରୀ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବନମାଳୀ ଶତପଥି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଛୁଟିରେ ଯାଇଥିବାରୁ ବେଲଗୁଣ୍ଠାର ଏହି ତିନି କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ସୃ୍ଷ୍ଟି ହୋଇଛି I ଏନ୍ଏସି ନିର୍ବାହି ଅଧିକାରୀଙ୍କ ଅନୁପସ୍ଥିତିରେ ଏନ୍ଏସି କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ହୋଇପାରୁନଥିବା ବେଳେ ତହସିଲଦାରଙ୍କ ଅନୁପସ୍ଥିତିରେ ତହସିଲ୍ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି I ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ,ରେସିଡେନ୍ସ ସାର୍ଟିଫିକେଟ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଜମିଜମା ସମ୍ଵନ୍ଧୀୟ କାର୍ଯ୍ୟରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି I ସେହିପରି ବ୍ଳକ୍ କାର୍ଯ୍ୟାଳୟରେ ମଧ୍ୟ ବିଭିନ୍ନ କାର୍ଯ୍ୟର ଫାଇଲ୍ ରେ ଡୋରି ବନ୍ଧା ହୋଇ ରହିଛି I ବହୁ ଲୋକ ନିଜ କାମରେ ବିଡିଓଙ୍କୁ ଦେଖା କରିବା ପାଇଁ ବ୍ଳକ୍ କୁ ଆସିଥିଲେ ମଧ୍ୟ ବିଡିଓ ଛୁଟିରେ ଥିବାରୁ ସେମାନେ ନିରାଶରେ ଫେରିଛନ୍ତି I ତୁରନ୍ତ ସମସ୍ୟାର ସମାଧାନ କରାଯାଇ ଓଏଏସ୍ ଅଧିକାରୀ ମାନେ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ଦାବି କରିଛନ୍ତି I ପ୍ରକାଶ ଥାଉକି ଗତ ସୋମବାର ଦିନ ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଭିଯୋଗ ପ୍ରକୋଷ୍ଠରେ ପଶି ବିଏମସି ଆସିଷ୍ଟାଣ୍ଟ୍ କମିଶନର୍ ରତ୍ନାକର ସାହୁଙ୍କୁ ମାଡ଼ ମାରିଥିଲେ I ଏହାର ପ୍ରତିବାଦରେ ରାଜ୍ୟ ଓଏଏସ୍ ସଂଘ ବନ୍ଦ ଡ଼ାକରା ଦେଇଥିଲା I ଏଥିରେ ପ୍ରଥମେ ଜିଲ୍ଳା ସ୍ତରୀୟ ଓଏଏସ୍ ଅଧିକାରୀ ମାନେ ସାମିଲ୍ ହୋଇଥିବା ବେଳେ ପରେ ରାଜ୍ୟର ସମସ୍ତ ଓଏଏସ୍ ଅଧିକାରୀ ଏଥିରେ ସାମିଲ୍ ହେବାରୁ ଦୁଇଦିନ ହେବ ରାଜ୍ୟରେ ଏକ ପ୍ରକାର ଅଚଳାବସ୍ଥା ସୃ୍ଷ୍ଟି ହୋଇଛି I

Leave A Reply

Your email address will not be published.