ବାଇକ୍ ଚୋରି ଅଭିଯୋଗ, ୨ ଯୁବକ ବିଚାର ବିଭାଗୀୟକୁ ଗଲେ

3

ଓଡଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ଗାଆଁରୁ ବାଇକ୍ ଚୋରି ଘଟଣାରେ ଉକ୍ତ ଗାଁର ୨ ଜଣ ଯୁବକଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି ଶନିବାର କୋଟଚାଲାଣ କରିଛନ୍ତି । ଜାମିନ୍ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ନନ୍ଦିଘୋର ଗ୍ରାମର ଶୁଭମ୍ ରାଉତ(୨୧) ଏବଂ ଟୁନା ମହାରଣା(୨୧) । ପୋଲିସ ଏମାନଙ୍କ ଠାରୁ ଓଡି ୦୨ଡି ୮୫୬୨ ନମ୍ବର ବିଶିଷ୍ଟ ଚୋରି ବାଇକ୍ ଜବତ କରିବା ସହିତ ସେମାନେ ବ୍ୟବହାର କରୁଥିବା ଓଡି ୨୫ କ୍ୟୁ ୨୩୪୧ ବୁଲେଟ ବାଇକ୍ ଏବଂ ଆପୋଲ ଆଇଫୋନ ୧୫, ପୋକୋ ସିଥ୍ରି ମଡେଲ ସ୍ମାର୍ଟ ଫୋନ ଏବଂ ଏକ ଏମ୍ ଆଇ ସ୍ମାର୍ଟ ଫୋନ ଜବତ କରିଛନ୍ତି । ଗତ ୧୪ ତାରିଖ ରାତିରେ ରବିବାର ଅଭିମନ୍ୟୁ ରାଉତଙ୍କ ବାରଣ୍ଡାରେ ବାଇକ୍ ଟି ଚୋରି ହେଇଥିବା ନେଇ ଖୋଜା ଖୋଜି ପରେ ୧୯ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଓଡ଼ଗାଁ ପୋଲିସ ୧୮୨/୨୫ ରେ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ବିଭିନ୍ନ ଥାନାକୁ ଖବର କରିଥିଲେ । ୨୦ ତାରିଖରେ ଖଣ୍ଡଗିରି ପୋଲିସ ବାଇକ୍ ସହିତ ଅଭିଯୁକ୍ତମାନଙ୍କୁ ନିଜ ହେପାଜତକୁ ନେଇଥିଲେ । ଖବର ପାଇ ଓଡ଼ଗାଁ ଥାନା ସବ୍ ଇନ୍ସପେକ୍ଟର ଚକ୍ରଧର ସିଂ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ପହଞ୍ଚିବା ପରେ ଖଣ୍ଡଗିରି ପୋଲିସ ୨ ଅଭିଯୁକ୍ତଙ୍କ ବାଇକ ଗୁଡ଼ିକ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.