କେନ୍ଦୁଝର,ତା୧୭/୬- କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଗୋଲଡେନ ଗାର୍ଲ ମନୀଷା ନାଏକ ଅଷ୍ଟ୍ରେଲିଆ ଠାରେ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ କ୍ୱାଲିଫାଏର ଟୁର୍ଣ୍ଣାମେଣ୍ଟ ପାଇଁ ୨୪ ଜଣିଆ ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇ କେନ୍ଦୁଝର ଜିଲ୍ଲା ସହ ସମଗ୍ର ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି।ଏହି କ୍ୱାଲିଫାଏର ଟୁର୍ଣ୍ଣାମେଣ୍ଟ ଜୁନ ୨୨ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗ୍ରାମାଞ୍ଚଳର ଲୁକ୍କାୟିତ ଏହି କ୍ରୀଡା ପ୍ରତିଭାକୁ ଚିହ୍ନଟ କରି ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ଫୁଟବଲ କୋଚ ବାଦଲ ମହାକୁଢ଼ ତାଙ୍କୁ ପ୍ରଥମେ ୨୦୧୫ ମସିହାରେ ଟିଏସଏଫକୁ ଆଣି ଫୁଟବଲ ଖେଳ ପ୍ରଶିକ୍ଷଣ ଦେଇଥିଲେ। ପରେ ସେ ନିଜର ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ନିଜର ଖେଳରେ ବହୁତ କିଛି ଉନ୍ନତି ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୬ରେ ସୁନ୍ଦରଗଡ଼ରେ ଅବସ୍ଥିତ ରାଜ୍ୟ କ୍ରୀଡା ଛାତ୍ରବାସରେ ଯୋଗଦାନ କରି ନିଜର ଫୁଟବଲ ଖେଳ ଜାରି ରଖି ନିଜର ଖେଳ କୌଶଳରେ ଅନେକଟା ଉନ୍ନତି ଆଣିବା ସହ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତୀୟ ଫୁଟବଲ ବ୍ଲୁ ଟାଇଗ୍ରେସେସର ମୁଖ୍ୟ କୋଚ କ୍ରିସପିନ ଛେତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୪ ଜଣିଆ ଭାରତୀୟ ମହିଳା ଫୁଟବଲ ଦଳରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ମନୀଷା ଜଣେ ପୁରୋଭାଗ ଖେଳାଳି ଭାବେ ସ୍ଥାନ ପାଇବା ସହ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରୁଥିବା ଖବର ପ୍ରଚାର ହେବା ସଙ୍ଗେ ସଙ୍ଗେ ଯୋଡ଼ା ଏବଂ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି। ପ୍ରକାଶ ଥାଉକି ତୃଣମୂଳ ସ୍ତରରୁ କ୍ରୀଡାର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଯୋଡ଼ା ଟିଏସଏଫର ମନୀଷା ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଥିବାରୁ ଅନ୍ୟ ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଗୋଲଡେନ ଗାର୍ଲ ମନୀଷାଙ୍କ ଏହି ବିରାଟ ସଫଳତା ପରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇବାର ସ୍ବପ୍ନ ଆଜି ବାସ୍ତବ ରୂପରେଖ ନେଇଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ଫୁଟବଲ କୋଚ ବାଦଲ ମହାକୁଢ଼ ମନୀଷାଙ୍କ ଉତ୍ତୋରାତ୍ତର ଉନ୍ନତି ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post