କୁବେର ପୁରୀର କରୁଣ କାହାଣୀ, ହତାଶା ନେଲା ଜୀବନ

0

ଟ୍ରକ ଋଣ କିସ୍ତି ଶୁଝି ନପାରି ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ଟ୍ରକ ମାଲିକ

ଚିନ୍ତାରେ ଋଣ କରି ଗାଡି କିଣିଥିବା ଟ୍ରକ ମାଲିକଙ୍କ ପରିବାର

କେନ୍ଦୁଝର, ତା୧୧/୬– ଆଜି କେନ୍ଦୁଝର ଜିଲ୍ଲାରେ ଜଣେ ଟ୍ରକ ମାଲିକ ଋଣ ଶୁଝି ନପାରି ଗାଡ଼ି ଟଣା ହେବାରୁ ବିଚଳିତ ହୋଇ ଆତ୍ମହତ୍ୟା କରିଥିବାର ଖବର ଆସିଛି। ଏହି ସମ୍ବେଦନଶୀଳ ଘଟଣା ସମଗ୍ର ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ଦୋହଲାଇ ଦେଇଛି। ସୂଚନା ମିଳିଛି କି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜସ୍ୱ ବିଧାନସଭା କ୍ଷେତ୍ର କେନ୍ଦୁଝର ସଦର ଗୋବର୍ଦ୍ଧନ ଗ୍ରାମର ଯୁବ ଟ୍ରକ ମାଲିକ ଲୋକନାଥ ଦେଓ (୩୧) କାଦଗଡ଼ ନିକଟରେ ନିଜ ବାଇକ ଓ ମୋବାଇଲ ରଖି ଟ୍ରେନ ସମ୍ମୁଖକୁ ଡେଇଁ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି। ଗାଁର ଏହି ମିଷ୍ଟଭାଷୀ ମେଳାପୀ ପିଲା ଖୁବ ଉଦଯୋଗୀ ଥିଲେ ଏବେ ରଜ ପର୍ବ ଲାଗି ବି ସାହାଯ୍ୟ କରିବି ଗାଁରେ କହିଥିଲେ। ତେବେ ସେ ଦୁଇଟି ହାଇୱା ଗାଡ଼ି ଘରୋଇ ସଂସ୍ଥାରୁ ଋଣରେ ଆଣି ଯୋଡ଼ା ଟ୍ରକ ମାଲିକ ସଙ୍ଘରେ ପଞ୍ଜିକୃତ କରି ଚଳାଉଥିଲେ। ସେ ଭଲରେ ଚଳୁ ଥିଲେ ହେଲେ ଏବେ ଲୁହାପଥର ସ୍ଲରୀ ପାଇପ ଓ ରେଳ ଯୋଗେ ପରିବହନ ହେଉଥିବାରୁ ଆଉ ସେ ଆଗ ଭଳି ଲୋଡ଼ିଂ ପାଇଲେ ନାହିଁ। ତେଣୁ ଗାଡ଼ି କିସ୍ତି ଖିଲାପ କରିବାରୁ ଘରୋଇ ଋଣ ଦେଇଥିବା କମ୍ପାନୀ ଏବେ ନିକଟରେ ତାଙ୍କର ଗୋଟେ ଗାଡ଼ି ଟାଣି ନେଇଥିଲା। ତେଣୁ ସେ ହଠାତ ବିଚଳିତ ହୋଇ ପଡ଼ିଥିଲେ ଏବଂ ପରେ ଏହି ଚରମ ନିଷ୍ପତ୍ତି ନେଇଥିଲେ। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଘରେ ମୃତ ଟ୍ରକ ମାଲିକଙ୍କ ବାପା ମାଆ, ଭାଇ ଅଛନ୍ତି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଶବ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଉ ଥିବା ଜଣାଯାଇଛି। ଜିଲ୍ଲାରେ ଏବେ ଟ୍ରକ ଲୋଡିଂ ଲାଗି ସ୍ଲିପ କଳାବଜାର ହେଉଛି | ନେତା ମାନେ ଟ୍ରକ ଲୋଡ଼ିଂ ଟୋକନ ସ୍ଲିପ ନେଇ ବିକୁଛନ୍ତି ବୋଲି ଅଭିଯୋଗ ଆସୁଛି | ତେଣୁ ସଂଖ୍ୟାଧିକ ଟ୍ରକ ମାଲିକ ଏବେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ ଟ୍ରକ ମାଲିକଙ୍କ ଘରକୁ ଯାଇ ସାହାଯ୍ୟ ସହଯୋଗ ମାଗୁଥିଲେ | ହେଲେ ଏବେ ସେମାନଙ୍କ ଲାଗି କିଛି ବ୍ୟବସ୍ଥା କଲେ ନାହିଁ ବୋଲି ଅନେକ ଟ୍ରକ ମାଲିକ କ୍ଷୋଭର ସହ କହିଛନ୍ତି। ତେଣୁ ଟ୍ରକ ମାଲିକଙ୍କ କଥା ସେ ବୁଝନ୍ତୁ ଆତ୍ମହତ୍ୟା କରିଥିବା ଟ୍ରକ ମାଲିକ ପରିବାରକୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। କେନ୍ଦୁଝର ନାଗରିକ ମଞ୍ଚର ଦିଲୀପ କୁମାର ସାହୁ କହିଛନ୍ତି କି ନିଜେ ମୁଖ୍ୟମନ୍ତ୍ରୀ ଟ୍ରକ ମାଲିକଙ୍କ ଅବସ୍ଥା ନେଇ ହସ୍ତକ୍ଷେପ କରନ୍ତୁ। ବେକାର ପିଲା ଖଣି ଖାଦାନରେ ଚାକିରୀ ପାଇଲେ ନାହିଁ ଚଢା ଘରୋଇ ଋଣ କରି ଗାଡ଼ି ଆଣି ଏବେ ଆତ୍ମହତ୍ୟା କରୁଛନ୍ତି। ସରକାର ଘରୋଇ କମ୍ପାନୀରୁ ଋଣ ନେବାକୁ ନିରୁତ୍ସାହିତ କରିବାକୁ ଟ୍ରକ ମାଲିକ ମାନଙ୍କୁ ସରକାରୀ ଋଣ ବ୍ୟବସ୍ଥା କରନ୍ତୁ ସେଲାଗି ଏକ କର୍ପସ ପାଣ୍ଠି ଗଠନ କରିବାକୁ ଶ୍ରୀ ସାହୁ ତୁରନ୍ତ ଦାବି କରିଛନ୍ତି। ଏଥି ସହ ଏହି ଆତ୍ମହତ୍ୟା ଘଟଣାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ତଦନ୍ତ କରି ଟ୍ରକ ମାଲିକ ମାନଙ୍କୁ ନ୍ୟାୟ ଦେବାକୁ ସେ ଦୃଢ଼ ଦାବି କରିଛନ୍ତି।

Leave A Reply

Your email address will not be published.