ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ନୀରବ ପ୍ରତିବାଦ:ଆକ୍ରମଣକାରୀଙ୍କୁ ଗିରଫ ଦାବି

0

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଓଡ଼ିଶା ମେଡିକାଲ ସେବା ସଂଘ ନିଷ୍ପତ୍ତିକ୍ରମେ ଆଜିଠାରୁ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ୟୁଟି ସରିବା ପରେ ନୀରବ ପ୍ରତିବାଦକୁ ଓହ୍ଲାଇଛନ୍ତି । ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ସଂଘ ଦାବି କରିଛି । ବାଲୁଗାଁର ଯୁବନେତା ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ୱାଇଁଙ୍କ ପ୍ରସବ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସମ୍ପୃକ୍ତ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କିନ୍ତୁ ଉକ୍ତ ଦିନ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ଡାକ୍ତର ରବୀନ୍ଦ୍ର ନାଥ ସାହୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯଦି ପ୍ରସୂତି ମହିଳାଙ୍କ ମୃତ୍ୟୁ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି, ତେବେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଆକ୍ରମଣ କାରୀଙ୍କୁ ପୁଲିସ ଗିରଫ ନକରି କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି। ସମ୍ପୃକ୍ତ ଡାକ୍ତରଙ୍କ ନିଲମ୍ବନ ପ୍ରତ୍ୟାହାର କରି ଏକ ନିରପେକ୍ଷ ତଦନ୍ତ କରି କାଯ୍ୟନୁଷ୍ଠାନ ନିଆଯିବାକୁ ଦାବି ହୋଇଛି । ଆଜି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସଭାପତି ଡା. ବି ସୂର୍ଯ୍ୟା ରାଓ ଓ ସଂପାଦକ ଡା. ପ୍ରଦୀପ କୁମାର ପାଇକରାୟଙ୍କ ନେତୃତ୍ୱରେ ନୀରବ ପ୍ରତିବାଦ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର ଓ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଡା. ସରୋଜ ରଞ୍ଜନ ନାୟକଙ୍କ ସହ ଜିଲ୍ଲାର ବହୁ ଡାକ୍ତର ଯୋଗ ଦେଇଥିଲେ। ରୋଗୀ ସେବା ବ୍ୟାଘାତ ନକରି ପ୍ରତିଦିନ ଏହିପରି ଏକ ଘଣ୍ଟା ନୀରବ ପ୍ରତିବାଦ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯଦି ତୁରନ୍ତ କାଯ୍ୟନୁଷ୍ଠାନ ନହୁଏ ବହୁତ୍ ଶିଘ୍ର ଏହା ରାଜ୍ୟ ବ୍ୟାପି ଚାଲିବ ବୋଲି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.