ବିଶ୍ୱ ପରିବେଶ ଦିବସରେ ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷା ଅନୁଷ୍ଠାନକୁ ଦୁଇ ରାଜ୍ୟ ସ୍ତରୀୟ ସମ୍ମାନ

0

 ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳକୁ ପ୍ରକୃତି ମିତ୍ର ପୁରସ୍କାର ଏବଂ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠକୁ ପରିବେଶ ସେବା ସମ୍ମାନ

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଦୁଇ ରାଜ୍ୟ ସ୍ତରୀୟ ସମ୍ମାନ ହାସଲ କରି ବେଲଗୁଣ୍ଠା ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି ବ୍ଲକ୍ ର ଦୁଇ ଶିକ୍ଷା ଅନୁଷ୍ଠାନ I ସୂଚନା ପ୍ରକାରେ ଗୁରୁବାର ସକାଳେ ରାଜ୍ୟ ଲୋକ ସେବା ଭବନରେ ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ଯ ସ୍ତରୀୟ ବିଶ୍ୱ ପରିବେଶ ଦିବସ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳକୁ ପରିବେଶ ସଚେତନତା ଏବଂ ବ୍ୟାପକ ବୃକ୍ଷରୋପଣ ପାଇଁ ପ୍ରକୃତି ମିତ୍ର ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକୃତି ମିତ୍ର ପୁରସ୍କାର ସାର୍ଟିଫିକେଟ୍ ଏବଂ ପୁରସ୍କାର ରାଶି ବାବଦ କୋଡ଼ିଏ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି I ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ଏହି ପୁରସ୍କାରର ସମସ୍ତ ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀଙ୍କୁ ଦେଇଛନ୍ତି I ସେହିପରି କାର୍ଯ୍ୟକ୍ରମରେ ଗ୍ରୀନ୍ କ୍ୟାମ୍ପସ୍,ପୁନଃ ଚକ୍ରଣ ଏବଂ ସଚେତନତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ବେଲଗୁଣ୍ଠା ବ୍ଳକ୍ ର ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଇକୋକ୍ଳବ୍ କୁ ପରିବେଶ ସେବା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସାର୍ଟିଫିକେଟ୍ ଏବଂ ପୁରସ୍କାର ରାଶି ପଚାଶ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି I ପ୍ରଧାନ ଶିକ୍ଷକ ଶ୍ରୀ ଘଡେଇ ଏହି ସମ୍ମାନର ସମସ୍ତ ଶ୍ରେୟ ବିଦ୍ୟାଳୟର ଇକୋ କ୍ଲବ୍ ତଥା ଏନର୍ଜି କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଇକୋ କ୍ଲବ୍ ସଦସ୍ୟଙ୍କୁ ପ୍ରଦାନ କରିଛନ୍ତି I ପୁରସ୍କାର ହାସଲ କରିଥିବା ଉଭୟ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

Leave A Reply

Your email address will not be published.