ଆରଏସପି ଷ୍ଟିଲ ମେଲ୍ଟିଂ ସପ-୧ ବିଭାଗର ସମାଧାନ ଗୁଣବତ୍ତା ମଣ୍ଡଳୀର ପ୍ରଶଂସନୀୟ ପ୍ରୟାସ :  ବିଭାଗୀୟ  ଉତ୍ପାଦକତାରେ ଉନ୍ନତି 

0

 

ରାଉରକେଲା (ସୁଶାନ୍ତ ବେହେରା) : ମହାରତ୍ନ କମ୍ପାନୀ ସେଲ ପରିଚାଳିତ ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୧ ବିଭାଗର ସମାଧାନ ଗୁଣବତ୍ତା ମଣ୍ଡଳୀର ପ୍ରଶଂସନୀୟ ପ୍ରୟାସ ଦ୍ଵାରା କାଷ୍ଟର ଯନ୍ତ୍ରୋପକରଣର ସମୟ ପୂର୍ବରୁ କ୍ଷତିଗ୍ରସ୍ତ ହେବା ରୋକାଯାଇପାରିଛି ଏବଂ ଏହାଦ୍ୱାରା ବିଭାଗର ଉତ୍ପାଦକତାରେ ଉନ୍ନତି ସାଧନ ହୋଇପାରିଛି ।

ବିଭାଗର ମ୍ୟାନେଜର, ଶ୍ରୀ ଟି ପି ଗରେୱାଲ ଏବଂ ସ୍ଲାବ କାଷ୍ଟର ଅଞ୍ଚଳରେ କାର୍ଯ୍ୟରତ ସିନିୟର ଟେକନିସିଆନ, ଶ୍ରୀ ଏସ କେ ଦାସ, ଶ୍ରୀ ଟି ଏସ ସ୍ଵାଇଁ, ଶ୍ରୀ ଏ କେ ସାମନ୍ତରାୟ, ଶ୍ରୀ ଜେ ଡ଼ି ମହାପାତ୍ର, ଶ୍ରୀ ଜି ସି ସାହୁ ଏବଂ ଶ୍ରୀ ଏ କେ ଦାସଙ୍କୁ ନେଇ ଗଠିତ ଦଳ କାଷ୍ଟରର ଉତ୍ପାଦନ ବିଳମ୍ବ ସମୟ ହ୍ରାସ ନିମନ୍ତେ ଆହ୍ଵାନମୂଳକ କାର୍ଯ୍ୟ ଗ୍ରହଣ କରିଥିଲେ। 

ସୂଚନାଯୋଗ୍ୟ ଯେ, କାଷ୍ଟର ଯନ୍ତ୍ରୋପକରଣ ଅନେକ ଯନ୍ତ୍ରାଂଶକୁ ନେଇ ଗଠିତ । କାଷ୍ଟିଙ୍ଗ ସମୟରେ ତନ୍ମଧ୍ୟରୁ ଯେକୌଣସି ଯନ୍ତ୍ରାଂଶରେ ସମସ୍ୟା ଦେଖାଦେଲେ ଉତ୍ପାଦନ ପ୍ରଭାବିତ ହେବା ସଙ୍ଗେସଙ୍ଗେ ଯନ୍ତ୍ରୋପକରଣ କ୍ଷତିଗ୍ରସ୍ତ ହୋଇଥାଏ ଏବଂ ଉତ୍ପାଦିତ ସ୍ଲାବର ମାନ ମଧ୍ୟ ପ୍ରଭାବିତ ହୋଇଥାଏ ।

ବିଶ୍ଳେଷଣରୁ ଜଣାଯାଇଥିଲା ଯେ, କାଷ୍ଟରର ଉତ୍ପାଦନ ବିଳମ୍ବ ସମୟର ମୁଖ୍ୟ କାରଣ ଲୁବ୍ରିକେଶନ ସିଷ୍ଟମ ଫେଲର ଅଟେ ଯାହା ଦୁଇଟି ଭାଗରେ ବିଭକ୍ତ । ପ୍ରଥମ ହେଉଛି ଇଲେକ୍ଟ୍ରିକଲ କଣ୍ଟ୍ରୋଲ ସିଷ୍ଟମ ଏବଂ ଅନ୍ୟଟି ହେଉଛି ଗ୍ରୀସ ଲାଇନ ନେଟୱାର୍କ। ତେଣୁ ପାନେଲ ରକ୍ଷଣାବେକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ ହେଉଥିଲା। ଏଥିସମେତ ତଳେ ବିଛାଯାଇଥିବା ଗ୍ରୀସ ଲାଇନ ନେଟୱାର୍କ ଉପରେ ପାଣି ଓ ମାଟି ଜମା ହୋଇ ତାହାକୁ କ୍ଷତିଗ୍ରସ୍ତ କରୁଥିଲା। 

ଉକ୍ତ ଦଳ ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ବିକଳ୍ପ ବ୍ୟବସ୍ଥାର ବିକାଶ ସାଧନ କରିଥିଲେ ଯାହା ପିଏଲସି ଇଣ୍ଟରଫେସ ଥିବା ସ୍ଵୟଂଚାଳିତ କଣ୍ଟ୍ରୋଲ ସର୍କିଟ ଅଟେ। ଆଂଶିକ ପରିବର୍ତ୍ତନ ସହକାରେ ଉତ୍ପାଦନ ପ୍ରଭାବିତ ନକରି ଗୁଣବତ୍ତା ମଣ୍ଡଳୀ ଦ୍ଵାରା ଉକ୍ତ ନୂତନ ବ୍ୟବସ୍ଥାକୁ ସଫଳତା ପୂର୍ବକ କାର୍ଯ୍ୟାନ୍ଵିତ କରାଯାଇଥିଲା। ଏହାର କମିଶନିଙ୍ଗ କାଳୀନ ଆସିଥିବା ରିମୋଟ ମନିଟରିଙ୍ଗ ପ୍ରସ୍ତାବକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା।  ଉକ୍ତ ନୂତନ ବ୍ୟବସ୍ଥାକୁ ନିପୁଣ ରୂପେ ନିରୀକ୍ଷଣ କରାଯାଇଥିଲା ଏବଂ ଏଥିସମ୍ବନ୍ଧୀୟ ସମସ୍ତ ଡାଟାର ନିୟମିତ ବିଶ୍ଳେଷଣ କରାଯାଇଥିଲା। 

ଉକ୍ତ ନୂତନ ବିକଳ୍ପ ବ୍ୟବସ୍ଥା ୩୨୮୫ ଘଣ୍ଟାର କାର୍ଯ୍ୟଘଣ୍ଟା ସଞ୍ଚୟ ଆଣିବା ସଙ୍ଗେସଙ୍ଗେ ବାର୍ଷିକ ୨୫୨୦୦୦ ହଜାର ଟଙ୍କାର ପ୍ରତ୍ୟକ୍ଷ ସଞ୍ଚୟ ସମ୍ଭବପର ହୋଇପାରିଥିଲା।  ଏଥିସହିତ ବାର୍ଷିକ ୨୧୯୦ କିଲୋୱାଟ ଆୱାର ଶକ୍ତି ସଞ୍ଚୟ ହୋଇପାରୁଛି । ଏହି ନୂତନ ବ୍ୟବସ୍ଥା ଯୋଗୁଁ କାଷ୍ଟରର ବାର୍ଷିକ ବିଳମ୍ବ ସମୟ ୪୧ ଘଣ୍ଟାକୁ ମଧ୍ୟ ହ୍ରାସ କରାଯାଇପାରିଛି ।

ସୂଚନାଯୋଗ୍ୟ ଯେ, ଏହି ଗୁଣବତ୍ତା ମଣ୍ଡଳୀ ନିକଟରେ ଗ୍ଵାଲିୟର ଠାରେ ଅନୁଷ୍ଠିତ ଜାତୀୟ ଗୁଣବତ୍ତା ସମ୍ମିଳନୀରେ ଉପରୋକ୍ତ ପ୍ରକଳ୍ପ ଉପସ୍ଥାପନା କରି ପାର ଏକ୍ସଲେନ୍ସ ପୁରସ୍କାର ଲାଭ କରିଛି । ପ୍ରକାଶଯୋଗ୍ୟ ଯେ, ଉକ୍ତ ସମ୍ମିଳନୀରେ ଆରଏସପିର ୧୫ ଟି ଗୁଣବତ୍ତା ମଣ୍ଡଳୀ ପାର ଏକ୍ସଲେନ୍ସ ପୁରସ୍କାର ଲାଭ କରିଥିଲେ। 

 

Leave A Reply

Your email address will not be published.