କେନ୍ଦୁଝର, ତା ୧୧/୪(ଦିଲ୍ଲୀପ କୁମାର ସାହୁ )- କେନ୍ଦୁଝର ପୁରୁଣା ବଜାରର ସମାଜସେବୀ ଝିଅ ରୋଜାଲିନ ସାହୁ ହତ୍ୟାର ୨ ବର୍ଷ ବିତି ସାରିଲାଣି ତଥାପି ଅପାରଗ ଘଟଗାଁ ଥାନା ପୋଲିସ ଚାର୍ଜସିଟ୍ ଦେଇପାରିନି। ଏକଥାକୁ ରୋଜାଲିନଙ୍କ ମାଆ ରେବତୀ ସାହୁ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ଦେଇଛନ୍ତି ସେ ମଧ୍ୟ ଓଡ଼ିଶା ପୋଲିସ ଡ଼ିଜିଙ୍କ ପାଖକୁ ତଦନ୍ତ ଲାଗି ଏହି ଦରଖାସ୍ତକୁ ପଠାଇ ଥିଲେ। ମୁଖ୍ୟମନ୍ତ୍ରୀ ଏବେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ରେବତୀ ସାହୁ ମୋହନ ବାବୁଙ୍କୁ ଏହି କଥା ଅନେକ ଥର ଲିଖିତ ଅଭିଯୋଗ କରି ସାରିଲେଣି। ତେବେ ଏହି ହତ୍ୟା ଘଟଣାରେ ପୋଲିସ ୩୦୨/୩୪ ସଂଘବଦ୍ଧ ନରହତ୍ୟା ଦଫା ଲଗାଇ ଚୁପ୍ ବସିଥିବା ଦେଖାଯାଉଛି। ବିଜେପି ରାଜ୍ୟ ଯୁବ ଉପସଭାପତି ପ୍ରକାଶ ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଓ ସଞ୍ଜୟ ମହାନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଆରୋପ ରହିଛି। ତେବେ ପୋଲିସ ମିଛରେ ହାଇକୋର୍ଟରେ ଅନେକ କଥା ଦେଇଛି ଯେପରିକି ପ୍ରକାଶ ମଲ୍ଲିକଙ୍କ ଧଳା ସ୍କର୍ପିଓ ଗାଡ଼ି ଜବତ କଲା ବୋଲି ଲିଖିତ ଦେଇଥିଲା | ସେହି ଗାଡ଼ି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବାର ଦେଖାଯାଇଥିଲା। ଏଥିରୁ କେନ୍ଦୁଝର ପୋଲିସର ଏହି ସ୍ପର୍ଶକାତର ନାରୀ ହତ୍ୟା ମାମଲା ଉପରେ କିପରି ତଦନ୍ତ କରୁଛି ସ୍ପଷ୍ଟ ହୋଇଛି। ରେବତୀ ସାହୁ ତାଙ୍କ ଝିଅ ହତ୍ୟା ଘଟଣାରେ ଅପରାଧୀଙ୍କ ସହ ପୋଲିସକୁ ଦଣ୍ଡିତ କରିବେ ସ୍ପଷ୍ଟ କରିଛନ୍ତି ମାମଲା ହାଇକୋର୍ଟ ଓ ତଳ କୋର୍ଟର ରହିଛି ପୋଲିସ ଅପାରଗତା ଲାଗି ଭର୍ତ୍ସନା ଶୁଣି ସାରିଛି ସେ କୁହନ୍ତି। ତେବେ ଏବେ ଶ୍ରୀ ମୋହନ ମାଝିଙ୍କ କେନ୍ଦୁଝର ଗସ୍ତ ଅବସରରେ ହତ୍ୟା ଅଭିଯୁକ୍ତ ପ୍ରକାଶ ମଲ୍ଲିକ ଓ ସଞ୍ଜୟ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିବାର ଫଟୋ ଦେଖି ରେବତୀ ସାହୁ ଘୋର ବିରକ୍ତ ହୋଇଛନ୍ତି। ତାଙ୍କ ଏକମାତ୍ର ନିରୀହ ଝିଅର ହତ୍ୟାକାରୀକୁ ମୁଖ୍ୟମନ୍ତ୍ରୀ ଏପରି ଦର୍ଶନ ଦେଇ ଦେଖା କରି ଫଟୋ ଉଠେଇବାକୁ ସୁଯୋଗ ଦେଉଥିବାରୁ ସେ ତାହାର ନିନ୍ଦା କରିଛନ୍ତି। କହିଛନ୍ତି କି ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ହତ୍ୟାକାରୀ ୩୦୨ ଦଫାରୁ ମୁକ୍ତି ପାଇ ପାରିବେନି। ମୋହନ ମାଝୀ ଢେଙ୍କାନାଳ ଲ କଲେଜରୁ ପାଠ ପଢ଼ିଛନ୍ତି |ତେଣୁ ହତ୍ୟା ଅଭିଯୋଗ ଥିବା ବ୍ୟକ୍ତିଙ୍କୁ କିପରି ନିଜ ପାଖରେ ରହିବାକୁ ସୁଯୋଗ ଦେଲେ ତାହାର ତଦନ୍ତ ସେ ଦାବି କରିଛନ୍ତି। ଗୃହ ବିଭାଗରେ ଥାଇ ପୋଲିସର ତ୍ରୁଟିକୁ ସେ ସୁଧାରିବାକୁ କହି ମୁଖ୍ୟମନ୍ତ୍ରୀ ନିରପେକ୍ଷ ରହିବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଆରୋପୀଙ୍କ ସହ ବାରମ୍ବାର ଫଟୋ ଉଠିବା ନେଇ ବୁଦ୍ଧିଜୀବି ମହଲରେ ଏଠାରେ ଭୃକୁଞ୍ଚନ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.