ସୁଶାସନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ପାଇଁ ଡାଟା ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ଵର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି) ଦ୍ୱାରା ଡାଟା ସାମର୍ଥ୍ୟ ଆକଳନ ସମ୍ପର୍କିତ ଏକ ବୈଠକ ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଶାସନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ପାଇଁ ତଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ପ୍ରଶାସନିକ ତଥ୍ୟ ପ୍ରଦାନରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରିବା ଏବଂ ନିଷ୍ପତ୍ତି ନେବା ପାଇଁ ଉନ୍ନତ ବିଶ୍ଳେଷଣ ଉପକରଣର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏକ ସାଧାରଣ ଏବଂ ମାନକ ପଦ୍ଧତି ମାଧ୍ୟମରେ ସମସ୍ତ ବିଭାଗରେ ଡାଟା ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏହି ଆଲୋଚନାରେ ସୂଚନା ଓ ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଡିପିଆଇସିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଡିପିଆଇସି ତରଫରୁ ଶ୍ରୀମତୀ ଉର୍ମିଳା ଚାଟାର୍ଜୀ ଡାଟା ପରିଚାଳନା, ଡାଟା ଆନାଲିଟିକ୍ସ ଏବଂ ଦକ୍ଷତାରେ ଉନ୍ନତି ଆଣିବା କ୍ଷେତ୍ରରେ ବିଭାଗଗୁଡିକର ସାମର୍ଥ୍ୟକୁ ନେଇ ଡିପିଆଇସି ଦ୍ୱାରା କରାଯାଇଥିବା ତ୍ୱରିତ ଆକଳନ ଉପସ୍ଥାପନ କରିଥିଲେ । ବିଭାଗଗୁଡ଼ିକ ମଧ୍ୟରେ ଡାଟା ଆଦାନପ୍ରଦାନ, ତଥ୍ୟ ଉପଲବ୍ଧତାରେ ସୁରକ୍ଷା, ତଥ୍ୟ ସଂରକ୍ଷଣ, ବ୍ୟାକଅପ୍ ଏବଂ ଡାଟା ଗୁଣବତ୍ତା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
ତଥ୍ୟ ପରିଚାଳନାରେ ସୁଦୃଢ ଓ ସୁରକ୍ଷିତ ଭିତ୍ତିଭୂମି, ବ୍ୟାକଅପ୍, ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରୋଟୋକଲ୍, ମାନକ ଫର୍ମାଟ୍ ର ବ୍ୟବହାର, ରହିଥିବା ସିଷ୍ଟମ୍ ଏବଂ ବିଭାଗଗୁଡ଼ିକ ପରସ୍ପରକୁ ତଥ୍ୟ ଆଦାନ ପ୍ରଦାନ ପରିଚାଳନା ଆବଶ୍ୟକତା ଉପରେ ଉପସ୍ଥାପନାରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟଦକ୍ଷତା ଟ୍ରାକିଂ, ପୂର୍ବାନୁମାନ ଏବଂ ଅବଗତ ନିଷ୍ପତ୍ତି ନେବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଗୁଣାତ୍ମକ ଡାଟା ବିଶ୍ଳେଷଣ ଉପକରଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ବିଭାଗୀୟ ଅଧିକାରୀମାନଙ୍କୁ ଡାଟା ଆନାଲିଟିକ୍ସ ଉପରେ ଡିପିଆଇସି ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଏକାଡେମିକ୍, ବୈଜ୍ଞାନିକ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ସହିତ ଭାଗିଦାରିତା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା।
ସୁଶାସନ ପାଇଁ ତଥ୍ୟର ଗୁଣାତ୍ମକ ଉପଲବ୍ଧତା ପାଇଁ ରୂପାନ୍ତରଣ ଜରୁରୀ ବୋଲି ସହମତି ପ୍ରକାଶ ପାଇଥିଲା । ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ସମସ୍ତ ସଚିବସ୍ତରୀୟ ବୈଠକରେ ଚିହ୍ନଟ ହୋଇଥିବା କ୍ଷେତ୍ରରେ ସରକାରୀ ବିଭାଗଗୁଡ଼ିକର ଡାଟା ପରିଚାଳନା ଏବଂ ବିଶ୍ଳେଷଣ କ୍ଷମତା ଉପରେ ଅଧ୍ୟୟନର ଅନୁସନ୍ଧାନ ଉପସ୍ଥାପନ କରିବାକୁ ଡିପିଆଇସିକୁ ପରାମର୍ଶ ଦେଇଥିଲେ ।