ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ୨୦୨୫: ସାମାନ୍ୟ ସତର୍କତା ଆମକୁ କରିବ ବିପଦମୁକ୍ତ

0 2

ଓଡ଼ଗାଁ, ୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁପ୍ତ ଅଯୋଧ୍ୟାର ଅଧିଶ୍ବର ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ଚଳିତ ମାସ ୬ ତାରିଖ ଠାରୁ ନବଦିନ ସନ୍ଧ୍ୟାବେଶ ୧୦ ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶାର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ଅନନ୍ୟ ବିଷ୍ଣୁ କ୍ଷେତ୍ର ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ୧୨ ମାସରେ ୧୩ ପର୍ବ ପାଳିତ ହେଉଥିବା ବେଳେ ଚୈତ୍ର ଶୁକ୍ଳ ନବମୀ ତିଥି ଠାରୁ ପାଳିତ ହେଉଥିବା ଶ୍ରୀରାମ ନବମୀ ଯାତ୍ରାର ସ୍ୱତନ୍ତ୍ରତା ରହିଛି । ପ୍ରସିଦ୍ଧ ଏହି ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ରାଜ୍ୟର ବିଭନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଯାତ୍ରାକୁ ଶୃଙ୍ଖଳିତ ତଥା ନିରାପଦ କରିବା ଉଦ୍ଦେଶ୍ୟରେ ପୋଲିସ୍ ପ୍ରଶାସନ ତତ୍ପର ହୋଇଉଠିଛି । ପ୍ରଥମତଃ ଓଡ଼ଗାଁକୁ ଚତୁଃପାର୍ଶ୍ବକୁ ସିଲ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଅଳ୍ପ ସଂଖ୍ୟକ ପୋଲିସ ସହାୟତାରେ ବିଶାଳ ଜନସମାଗମକୁ ନିୟନ୍ତ୍ରଣ କରିବା ବାସ୍ତବ ପକ୍ଷେ ଏକ କଷ୍ଟକର ବ୍ୟାପାର । ତେଣୁ ପୋଲିସ୍ ପ୍ରଶାସନ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ଏତଦବ୍ୟତୀତ ମାନସିକଧାରୀ ଉପାସକ ମହିଳା ଓ ପୁରୁଷ ପରିବାର ସଦସ୍ୟ ମାନେ ଯାତ୍ରା ଦେଖିବାକୁ ଆସିବା ସମୟରେ କୈାଣସି ମୂଲ୍ୟବାନ ଅଳଙ୍କାର ସାମଗ୍ରୀ ବ୍ୟବହାର ନକରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ପ୍ରତିଦିନ ଅପରାହ୍ନ ୩ଟା ଠାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବାହାରୁ ଆସୁଥିବା ଯାତ୍ରୀମାନେ ଓଡ଼ଗାଁ ପରିବା ମାର୍କେଟରେ ୨ ଚକିଆ ଯାନ ରଖିବେ । ଏବଂ ସାଗର ପୁଷ୍କରିଣୀ ବନ୍ଧ ଉପରେ ୪ ଚକିଆ ଛୋଟ ଯାନ ରଖି ସେଠାରୁ ଶ୍ରଦ୍ଧାଳୁମାନେ ମହୋତ୍ସବ ପଡ଼ିଆ ଦେଇ ମନ୍ଦିର ରୋଡକୁ ବାହାରି ଠାକୁର ଦର୍ଶନ କରିବାକୁ ଯିବେ । ଓଡ଼ଗାଁ ଏନ୍ଏସିର ବାସିନ୍ଦା ସେହି ସମୟରେ କେଉଁ ରାସ୍ତା ଦେଇ ଗମନାଗମନ କରିବେ ସେ ନେଇ ସୂଚନା ଦିଆଯାଇଛି । ଫଳରେ ଗମନାଗମନକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଇଆଇସି ଅଭୟ ବେହେରା କହିଛନ୍ତି । ବୁଧବାର ନିଷ୍ପତ୍ତି ଅନୁସାରେ ଗୁରୁବାର ସକାଳେ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ସହିତ ଏନ୍ଏସି ଓ ପୋଲିସ ଅଧିକାରୀ ରାସ୍ତା ଅବରୋଧକାରୀ ଦୋକାନୀ ମାନଙ୍କୁ ରାସ୍ତାରୁ ହଟାଇବାକୁ ଚେତାବନୀ ଦେଇଥିଲେ । ତେବେ ୨୪ ଘଣ୍ଟା ମଧ୍ୟରେ ଅବରୋଧ ନହଟିଲେ ପ୍ରଶାସନ ନିଜେ ତାଙ୍କ କାର୍ଯ୍ୟ କରିବେ ବୋଲି କହିଥିଲେ।

Leave A Reply

Your email address will not be published.