ଖଡ଼ି ଛୁଆଁଇଲେ ମୋହନ

0
  • ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ

  • ଭୁବନେଶ୍ୱର ସ୍ଥିତ ବଡଗଡ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଶିଶୁ ବାଟିକା’ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • ୨୦୨୫-୨୬ ଶିକ୍ଷା ବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏ ଶିଶୁ ବାଟିକା ଖୋଲାଯିବ, ୫ରୁ ୬ ବର୍ଷ ବୟସର ପିଲାମାନେ ପାଠ ପଢ଼ିବେ

ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ଆଜିଠାରୁ ଶିଶୁ ବାଟିକା ବା ପ୍ରାକ୍ ପ୍ରାଥମିକ ଶ୍ରେଣୀ ଶିକ୍ଷା ଆରମ୍ଭ ପାଇଁ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି | ମୁଖ୍ୟମନ୍ତ୍ରୀ ନିଜେ ପିଲାମାନଙ୍କ ହାତ ଧରି ଚକ୍‌ ଖଡିରେ ବୃତ୍ତ କାଟି ପିଲାଙ୍କ ଖଡି ଛୁଆଁ ଆରମ୍ଭ କରିଥିଲେ । ତା ପରେ ପ୍ରଥମ ଅକ୍ଷର ଭାବେ ‘ମା’ ଲେଖାଇ ଅକ୍ଷର ଶିକ୍ଷା ଆରମ୍ଭ କରିଥିଲେ । ଏହା ସହିତ ଆରମ୍ଭ ହୋଇଥିଲା ଶିଶୁ ବାଟିକା ଓ ପିଲାଙ୍କ ପ୍ରବେଶ ଉତ୍ସବ । ଏହା ପରେ ମୁଖ୍ୟମନ୍ତ୍ରୀ ନବମ ଓ ଦଶମ ଶ୍ରେଣୀ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ ଏବଂ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ-୨୦୨୫ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ ଏବଂ ସ୍କୁଲ ପରିସରରେ ଆୟୋଜିତ ସାକ୍ଷରତା ଶିକ୍ଷଣ ସାମଗ୍ରୀ ଷ୍ଟଲ, ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ଷ୍ଟଲ, ସୃଜନାତ୍ମକ ଶିକ୍ଷଣ ସାମଗ୍ରୀ ଷ୍ଟଲ ବୁଲି ଦେଖିବା ସହିତ ଶିଶୁ ବାଟିକା ପିଲାଙ୍କ ପଠନ ପ୍ରଣାଳୀ ଅନୁଧ୍ୟାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛୋଟ ପିଲାଙ୍କ ମାନସିକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି । ଆଜି ପାଠ ପଢା ଆରମ୍ଭ ଦିନରେ ପିଲାମାନେ ବହୁତ ଖୁସି ଅଛନ୍ତି । ଏହି ଶିଶୁ ବାଟିକା ରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରକୁ ସୁଦୃଢ କରିବ ଏବଂ ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଫଳପ୍ରଦ ହେବ । ଆଗାମୀ ଦିନରେ ପିଲାମାନେ ଏକ ସୁନ୍ଦର ଓ ମନୋଜ୍ଞ ପରିବେଶରେ ପାଠ ପଢିବେ ।

ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ଆଜିଠାରୁ ଶିଶୁ ବାଟିକା ବା ପ୍ରାକ୍ ପ୍ରାଥମିକ ଶ୍ରେଣୀ ଶିକ୍ଷା ଆରମ୍ଭ କରାଯାଇଛି । ୨୦୨୫-୨୬ ଶିକ୍ଷା ବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏ ଶିଶୁ ବାଟିକା ଖୋଲାଯିବ । ଏହି ସବୁ ଶିଶୁ ବାଟିକାରେ ୫ରୁ ୬ ବର୍ଷ ବୟସର ପିଲାମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବେ । ଶିଶୁ ବାଟିକାର ପିଲା ମାନଙ୍କୁ ଶିକ୍ଷଣୀୟ ସାମଗ୍ରୀ କିଟ୍ ଯୋଗାଇ ଦିଆଯାଇ ମନୋରଞ୍ଜନ ଧର୍ମୀ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା ପ୍ରତି ଆକୃଷ୍ଟ କରାଯିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଏକାମ୍ର ଭୁବନେଶ୍ୱର ଶ୍ରୀ ବାବୁ ସିଂହ, ବିଧାୟକ ଖୋର୍ଦ୍ଧା ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ସମାଜସେବୀ ଜଗନ୍ନାଥ ପ୍ରଧାନ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନ ପଣ୍ଡିତ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.