ରାଷ୍ଟ୍ରୀୟ ନବବର୍ଷ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ , ଚୈତ୍ର ଶୁକ୍ଳ ପ୍ରତିପଦା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟା ଶ୍ରୀମତୀ ଶୈଳେଷ୍ଠା ଖଡ୍ଗରାୟ ସମସ୍ତ ଅତିଥିମାନଙ୍କୁ ଆବାହନ କରିଥିଲେ।
ଏହି ଅବସରରେ ସାହିତ୍ୟ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ. କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଭାଗ ସଂଘ ଚାଳକ ଡ. ଭଗବାନ ତ୍ରିପାଠୀ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଦେଶକୁ ଶକ୍ତିଶାଳୀ କରିବା ନିମନ୍ତେ ପଞ୍ଚ ପରିବର୍ତ୍ତନର ଆବଶ୍ୟକତା ଯଥା ସ୍ବଦେଶୀ , ସମରସତା , ପର୍ଯ୍ୟାବରଣ ସଂରକ୍ଷଣ , କୁଟୁମ୍ବ ପ୍ରବୋଧନ ଓ ନାଗରିକ କର୍ତ୍ତବ୍ୟ ଆଦି ବିଷୟରେ ମତ ରଖିଥିଲେ। ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଆୟୁଷି ଅସ୍ମିତା ଓ ସୁଶ୍ରୀ ବେବି ବିଶ୍ଵାଳ ଆଜିକାର ଦିବସ ମହତ୍ଵ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ଆଜୀବନ ସଦସ୍ୟ ସଦସ୍ୟା,ଶିଶୁ ମନ୍ଦିରର ଅଭିଭାବକ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.