“ପୋଲିସ ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟରେ କ୍ରୋଧ ଓ ପ୍ରତିହିଂସାର ଝଲକ”

2

ପୋଲିସ ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟ ପୋଲିସ ମାନୁଆଲ ରୁଲର ଖୋଲା ଉଲ୍ଲଙ୍ଘନ: ବିଜେଡି

  •  ପୂର୍ବରୁ କୌଣସି ଡିଜି ଏପରି ପ୍ରତିହିଂସା ପରାୟଣ ମନ୍ତବ୍ୟ ଦେଇ ନଥିଲେ

  •  ଆନ୍ଦୋଳନକାରୀଙ୍କୁ ଆଣ୍ଟିସୋସିଆଲ ଆଖ୍ୟା ଦେବା ଗ୍ରହଣୀୟ ନୁହେଁ

ଭୁବନେଶ୍ୱର, ୨୮/୦୩/୨୦୨୫: ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆ ଗତକାଲି କ୍ୟାପିଟାଲ ହସ୍ପିଟାଲ ।ଇ ଆହତ ପୋଲିସ କର୍ମଚାରୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଆହତ ପୋଲିସ କର୍ମଚାରୀ ମାନଙ୍କୁ ଦେଖି ଫେରିବା ପରେ ଶ୍ରୀ ଖୁରାନିଆ ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେବାବେଳେ କ୍ରୋଧାନ୍ୱିତ ହୋଇ କହିଥିଲେଯେ , “ମୁଁ ଦେଖିବାକୁ ଆସିଥିଲି । ଅସାମାଜିକ ଲୋକମାନେ ଯେଉଁ ଆତଙ୍କରାଜ ଚଳାଇଲେ, ଯେଉଁମାନେ ସବୁ ହିଂସାରେ ଲିପ୍ତ ଥିଲେ, ସେମାନେ ଯେଉଁଠି ବି ଥିଲେ, ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବ । ଏହାକୁ ବିଲକୁଲ ଆମେ ସହ୍ୟ କରିବୁ ନାହିଁ ।”
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଏଭଳି ପ୍ରତିହିଂସା ପରାୟଣ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଗତକାଲି କଂଗ୍ରେସ ଦଳର ଆନ୍ଦୋଳନ ବେଳେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନେ ଆହତ ହେବା, ନିଶ୍ଚିତ ଭାବେ ଏକ ଦୁଃଖଦାୟକ ଘଟଣା । ବିଜୁ ଜନତା ଦଳ ତରଫରୁ ଆହତ ପୋଲିସ କର୍ମଚାରୀ ମାନଙ୍କ ପ୍ରତି ସମବେଦନା ଜଣାଇବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।
ଡ଼ ମହାନ୍ତି କହିଛନ୍ତି, ଅତୀତରେ ଆନେ୍ଦାଳନ ସମୟରେ ପୋଲିସ ଓ ଆନେ୍ଦାଳନକାରୀଙ୍କ ମଧ୍ୟରେ ହିଂସାତ୍ମକ ପରିବେଶ ଅନେକ ଥର ସୃଷ୍ଟି ହୋଇଛି । କିନ୍ତୁ, ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ କେବେ ବି ଏପରି ପ୍ରତିହିଂସା ପରାୟଣ ମନ୍ତବ୍ୟ କେବେ ଶୁଣିବାକୁ ମିଳି ନଥିଲା । ରାଜ୍ୟର ସମସ୍ତ ନାଗରିକଙ୍କ ସୁରକ୍ଷା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ । କେବଳ ପୋଲିସ କର୍ମଚାରୀଙ୍କୁ ନୁହେଁ, ରାଜ୍ୟର ସମସ୍ତ ନାଗରିକଙ୍କୁ ସୁରକ୍ଷା ପ୍ରଦାନର ଦାୟିତ୍ୱ ତାଙ୍କ ହାତରେ ରହିଛି । ତେଣୁ ଉତ୍ତେଜିତ ହୋଇ ଏପରି ପ୍ରତିହିଂସା ପରାୟଣ ମନ୍ତବ୍ୟ ରଖିବା ଉଚିତ ହୋଇନାହିଁ । ଆନେ୍ଦାଳନକାରୀଙ୍କୁ ଆଣ୍ଟିସୋସିଆଲର ଆଖ୍ୟା ଦେବା ଏବଂ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଦେଇଥିବା ମନ୍ତବ୍ୟ, ଆଦୌ ଗ୍ରହଣୀୟ ନୁହେଁ ।
ଡ଼ ମହାନ୍ତି ଆହୁରି କହିଛନ୍ତି, ଓଡିଶା ପୋଲିସ ମାନୁଆଲ ରୁଲରେ ସ୍ପଷ୍ଟ ଲିଖିତ ହୋଇଛି ଯେ କୌଣସି ପରିସ୍ଥିତିରେ ପୋଲିସ ପ୍ରତିହିଂସା ପରାୟଣ ହୋଇପାରିବ ନାହିଁ । ତେଣୁ ଶ୍ରୀ ଖୁରାନିଆଙ୍କ ଗତକାଲିର ମନ୍ତବ୍ୟ ଓଡିଶା ପୋଲିସ ମାନୁଆଲ ରୁଲର ଖୋଲା ଉଲ୍ଲଙ୍ଘନ । ଜଣେ ପୋଲିସ ମହାନିର୍ଦ୍ଦେଶକ ପରି ଉଚ୍ଚପଦସ୍ତ ଅଧିକାରୀ ଏଭଳି ପୋଲିସ୍ ମାନୁଆଲ ରୁଲ୍ର ଖୋଲା ଉଲ୍ଲଙ୍ଘନ କରିବା, ରାଜ୍ୟରେ ଏକ ଖରାପ ପରମ୍ପରା ସୃଷ୍ଟି କରିଛି । ତେଣୁ, ଶ୍ରୀ ଖୁରାନିଆ ତାଙ୍କର ମନ୍ତବ୍ୟ ସକାଶେ ରାଜ୍ୟବାସୀଙ୍କ ସମ୍ମୁଖରେ ଦୁଃଖ ପ୍ରକାଶ କରନ୍ତୁ ବୋଲି ବିଜୁ ଜନତା ଦଳ ନିଜ ପ୍ରତିକ୍ରିୟାରେ କହିଛି ।

 

Leave A Reply

Your email address will not be published.